Advertisement

ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ଚାଷୀଙ୍କ ଧାରଣା

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ)ବିଦ୍ୟୁତ ସମସ୍ୟା ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ବୁଧବାର କୃଷକ ପରିବାର, ଭଟଲି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଭାଗୀୟ ଯନ୍ତ୍ରୀ ପହଞ୍ଚି ଆଲୋଚନା କଲାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ଏହି ଅବସରରେ କୃଷକ  ପରିବାରର ସଦସ୍ୟମାନେ ପ୍ରଥମେ ସ୍ଥାନୀୟ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଏକ ବୈଠକ କରିଥିଲେ। ସଙ୍ଗଠନର ସଭାପତି ଥବିର ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଭଟଲୀ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ଚାଷୀମାନେ ଯୋଗଦାନ କରିଥିଲେ। ଧାନ ବିକ୍ରି ପାଇଁ ଚାଲିଥିବା ପଞ୍ଜୀକରଣ ପ୍ରକ୍ରିୟାରେ ଚଳିତ ବର୍ଷ ବିଦ୍ୟୁତ୍‌ ବିଲ ବାଧ୍ୟତାମୂଳକ କରାଯାଇଥିବା ପ୍ରସଙ୍ଗକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଡିଆର୍‌ସିଏସ୍‌ ଯୁଗଳ କିଶୋର ଦାଶଙ୍କୁ ଫୋନ କରି ସଭାସ୍ଥଳରୁ ପଚରା ଯାଇଥିଲା ଏବଂ ତାର ସମାଧାନ ପାଇଁ ଦାବି ହୋଇଥିଲା।
ଅପରପକ୍ଷରେ ଅନ୍ୟ ବର୍ଷ ଗୁଡ଼ିକରେ କେବଳ ଉପଭୋକ୍ତା ନମ୍ବର ଦେଲେ ପଞ୍ଜୀକରଣ ଆବେଦନ ହୋଇ ପାରୁଥିଲା । ମାର୍ଗଦର୍ଶିକାରେ ମଧ୍ୟ କେବଳ ଉପଭୋକ୍ତା ନମ୍ବର ହିଁ ଆବଶ୍ୟକ ଅଛି। ଯଦି ବିଦ୍ୟୁତ୍‌ ବିଲ ବାଧ୍ୟ କରାଯାଏ, ଚାଷୀମାନେ ଆନ୍ଦୋଲାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ବୈଠକ ପରେ ଚାଷୀମାନେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ଲୋ ଭୋଲଟେଜ, ଅଘୋଷିତ ବିଦ୍ୟୁତ୍‌ କାଟ ଏବଂ ମାତ୍ରାଧିକ ବିଦ୍ୟୁତ୍‌ ବିଲ, ବିଦ୍ୟୁତ୍‌ ବିଲ ପୈଠ କରିଥିଲେ ସୁଦ୍ଧା ବିଲ କାଗଜ ଚାଷୀମାନଙ୍କୁ ନ ଦେବା ଅଭିଯୋଗ ନେଇ ଚାଷୀମାନେ ସେଠାକୁ ଯାଇଥିଲେ। ସେତେବେଳେ କାର୍ଯ୍ୟାଳୟରେ କେହି ନ ଥିବା ଯୋଗୁ ଚାଷୀମାନେ ସେଠାରେ ଧାରଣାରେ ବସିଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ବାଧୀନ ସାହୁ ଖବର ପାଇ ସେଠାକୁ ଆସିଥିଲେ ଏବଂ ଧାରଣା ରତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଚାଷୀମାନେ ଉପରୋକ୍ତ ସମସ୍ୟା ସମୂହ ତାଙ୍କଠାରେ ଉପସ୍ଥାପନ କରିଥିଲେ। ଉପରିସ୍ଥ ଅଧିକାରୀଙ୍କୁ ଉକ୍ତ ଦାବି ଗୁଡୁକ ଉପରେ ଜଣାଇ ବିହିତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ସୁରେନ ସାହୁ, ହେମନ୍ତ ସାହୁ, ମେଘନାଦ ପଟେଲ, ଅଶୋକ ସାହୁ, ଦେବେନ୍ଦ୍ର ପଧାନ, ଫିରୋଜ ପଧାନ, କ୍ଷୀରୋଦ୍ର ପ୍ରମୁଖ ଏଥିରେ ସାମିଲ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel