Categories: ଜାତୀୟ

ଋଣ ଛାଡ ପାଇଁ ଚାଷୀ ଚାହୁଁଛନ୍ତି ମରୁଡି ପଡୁ: ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡିଆରେ ଭାଇରାଲ…

ବେଙ୍ଗାଲୁରୁ,୨୫।୧୨ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ସରକାରରେ ଆଖୁ ବିକାଶ ମନ୍ତ୍ରୀ ଶିବାନନ୍ଦ ପାଟିଲଙ୍କ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି ଏଠାରେ ଥିବା ଚାଷୀମାନେ ପ୍ରତିବର୍ଷ ମରୁଡ଼ି ପଡୁ ଚାହାନ୍ତି। ଯାହା ଦ୍ୱାରା ସେମାନଙ୍କ ଋଣ ଛାଡ ହୋଇପାରିବ। ଚାଷୀମାନେ ମାଗଣାରେ କୃଷ୍ଣା ନଦୀ ଜଳ ପାଆନ୍ତି। ଏହା ବ୍ୟତୀତ ବିଦ୍ୟୁତ ମଧ୍ୟ ମାଗଣା । ବିଭିନ୍ନ ମୁଖ୍ୟମନ୍ତ୍ରୀ ମଧ୍ୟ ମାଗଣାରେ ସାର ଓ ମଞ୍ଜି ଦେଉଛନ୍ତି। ଏଭଳି ପରିସ୍ଥିତିରେ, ଚାଷୀମାନଙ୍କର କେବଳ ଗୋଟିଏ ଇଚ୍ଛା ଅଛି, ଯେକୌଣସି ଉପାୟରେ, ପ୍ରତିବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଉଚିତ ଯାହାଦ୍ୱାରା ସେମାନଙ୍କର ଋଣ ଛାଡ଼ ହୋଇ ପାରିବ।

ଭିଡିଓ ଭାଇରାଲ ହେବା ପରେ ଭାଜପା କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା କହିଛି ସିଦ୍ଦରାମାୟାଙ୍କ କ୍ୟାବିନେଟରେ କେବଳ ମୂର୍ଖ ରହିଛନ୍ତି। ଭାଜପା କହିଛି କଂଗ୍ରେସର କୃଷକ ବିରୋଧୀ ସରକାର ଚାଷୀଙ୍କୁ ପରିହାସ କରୁଛନ୍ତି।

ଏହାପୂର୍ବରୁ ପାଟିଲ ତାଙ୍କ ବିବୃତ୍ତି ପାଇଁ ବହୁ ଥର ହେଡଲାଇନରେ ରହିଛନ୍ତି। ସେପ୍ଟେମ୍ବରରେ ସେ କହିଥିଲେ ରାଜ୍ୟ ସରକାର କ୍ଷତିପୂରଣ ବୃଦ୍ଧି କରିବା ପରେ କୃଷକଙ୍କ ଆତ୍ମହତ୍ୟା ବୃଦ୍ଧି ପାଇଛି। ତେବେ ପରେ ସେ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି କହିଥିଲେ ତାଙ୍କ ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରାଯାଇଛି। ତାଙ୍କର ଉଦ୍ଦେଶ୍ୟ ଏହା କହିବା ନ ଥିଲା।
ଏକ ବିବାହ ସମାରୋହରେ ନୋଟ ଊଡାଇଥିବା ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରେ ସେ ବିବାହ ଉତ୍ସବରେ ଯୋଗଦେଉଥିବା ଲୋକଙ୍କ ଉପରେ ଟଙ୍କା ପକାଉଥିଲେ। କିଛି ନୋଟ ମଧ୍ୟ ତାଙ୍କ ପାଦତଳେ ପଡ଼ିଥିଲା ।

 

 

Share