Categories: ଜାତୀୟ

ଚାଷୀଙ୍କୁ ଲାଠିମାଡ଼

ପାଟନା, ୩୦।୧୨: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ବିହାରର ହଜାର ହଜାର ଚାଷୀ ରାଜଭବନ ଅମଭିମୁଖେ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାଳନା କରିବା ସହ ପାଣିମାଡ଼ କରିଛି। ଲାଠିମାଡ଼ରେ ଅନେକ ଚାଷୀ ଆହତ ହୋଇଛନ୍ତି।
ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଓ ଅନ୍ୟ ବାମ ଦଳ ବ୍ୟାନରରେ ଚାଷୀମାନେ ମଙ୍ଗଳବାର ସକାଳୁ ବିହାର ରାଜଧାନୀ ପାଟନାରେ ଏକଜୁଟ୍‌ ହୋଇଥିଲେ। ସେମାନେ ୧୦ଟା ବେଳେ ଐତିହାସିକ ଗାନ୍ଧୀ ମଇଦାନର ୬ ନମ୍ବର ଗେଟ୍‌ ତାଲା ଓ ବ୍ୟାରିକେଡ୍‌ ଭାଙ୍ଗି ସେଠାରୁ ଜନଗହଳିପୂର୍ଣ୍ଣ ଡାକବଙ୍ଗଳା ଛକ ଦେଇ ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ଅଧାବାଟରେ ପୋଲିସ ସେମାନଙ୍କୁ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀ ଚାଷୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ପାଣିମାଡ଼ କରିବା ସହ ମୃଦୁ ଲାଠିଚାଳନା କରିଥିଲା ବୋଲି କହିଛି। ଲାଠିମାଡ଼ରେ କେତେଜଣ ଚାଷୀ ଆହତ ହୋଇଥିବାବେଳେ ଅନ୍ୟମାନେ ଏଣେତେଣେ ଧାଉଁଥିବା ଦେଖାଯାଇଥିଲା।
କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପାଇଁ ଚାଷୀମାନେ ଦାବି କରିଥିଲେ। କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଜାରି ରହିଛି।

Share