Advertisement

ବୁଧବାର ନିଷ୍ପତ୍ତି ଶୁଣାଇବେ ଚାଷୀ

ନୂଆଦିଲ୍ଲୀ,୭।୧୨: ବର୍ଷେ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ଏଥିରୁ ଓହରିବେ କି ନାହିଁ ସେନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯିବ। ଏସ୍‌କେଏମ୍‌ ଯାହା ସ୍ଥିର କରିବ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ମଙ୍ଗଳବାର କୃଷକ ନେତା ରାକେଶ ଟିକାଏତ୍‌ ସ୍ପଷ୍ଟ କରିଛନ୍ତି।
୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ଆଣିଥିଲେ। ସେବେଠୁ କୃଷକମାନେ ଏହାର ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଗତ ୨୯ ତାରିଖରେ ପାର୍ଲାମେଣ୍ଟରେ ଏ ସମ୍ପର୍କିତ ବିଲ୍‌ ଗୃହୀତ ହୋଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପରେ ଏହା ଆନୁଷ୍ଠାନିକ ଭାବେ ଉଚ୍ଛେଦ ହୋଇଛି।

ତେବେ କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି, ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ପ୍ରତ୍ୟାହାର, ବାୟୁ ପ୍ରଦୂଷଣ ବିଲ୍‌ରୁ ଦଣ୍ଡବିଧାନ ବ୍ୟବସ୍ଥା ହଟାଇବା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କ୍ୟାବିନେଟରୁ ବହିଷ୍କାର ସହ ଗିରଫ, ଚାଷୀଙ୍କ ଉପରୁ ମିଥ୍ୟା ମାମଲା ହଟାଇବା, ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ମୃତକଙ୍କ ସ୍ମୃତିରେ ସିଂଘୁ ସୀମାରେ ସ୍ମାରକୀ ପ୍ରତିଷ୍ଠା କରିବା ଦାବିରେ କୃଷକ ସଙ୍ଗଠନଗୁଡ଼ିକ ଜିଦ୍‌ରେ ଅଟଳ ଥିବାରୁ ଚାଷୀମାନେ ଆନ୍ଦୋଳନ ଶେଷ କରିନାହାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share