Advertisement

ଫ୍ଲାଇଆଶ୍‌ରେ ପୋତି ହେଲା ଚାଷଜମି

ଦେବଗଡ,୨୧ା୭(ଶଶାଙ୍କ ଶେଖର ଝାଙ୍କର): ନିର୍ମାଣକାରୀ ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଫ୍ଲାଇଆଶ୍‌(ପାଉଁଶ)ରେ ପୋତିହୋଇ ଦେବଗଡ ଜିଲା ବାରକୋଟ ବ୍ଲକ ଖୁଲୁଣ୍ଡିକୁଦର ଗ୍ରାମର ୨୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ନଷ୍ଟ ହୋଇଛି। ଏଥିଯୋଗୁ ଚଳିତ ବର୍ଷ ସେହି ଜମିରେ ଫସଲ କରିବାର ଆଉ ସମ୍ଭାବନା ନାହିଁ। ଏହାକୁ ନେଇ ରାସ୍ତା ନିର୍ମାଣକାରୀ ସଂସ୍ଥା କିମ୍ବା ସ୍ଥାନୀୟ ରାଜସ୍ବ ପ୍ରଶାସନ ଶୁଣୁ ନ ଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚଏଆଇ)ଦ୍ୱାରା ବାରକୋଟ ବ୍ଲକ ସଦର ମହକୁମାରୁ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ପର୍ଯ୍ୟନ୍ତ ଯାଇଥିବା ୨୩ ନମ୍ବର ଜାତୀୟ ରାଜପଥର ଫୋର ଲେନ ପ୍ରଶସ୍ତୀକରଣ କାମ ଚାଲିଛି। ନିର୍ମାଣକାରୀ ସଂସ୍ଥା ଏଆର୍‌ଏସ୍‌ଏସ୍‌ କାର୍ଯ୍ୟ ଦାୟିତ୍ୱରେ ଅଛି। ରାଜପଥର କଂଙ୍କ୍ରିଟୀକରଣ ଓ ପୋଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୋଲ ନିର୍ମାଣରେ ବ୍ୟବହାର ପାଇଁ ଖୁଲୁଣ୍ଡିକୁଦର ନିକଟ ନିର୍ମାଣାଧୀନ ରାସ୍ତାରେ ପର୍ଯ୍ୟାପ୍ତ ପରିମାଣର ପାଉଁଶ(ଫ୍ଲାଇଆଶ୍‌)ଗଚ୍ଛିତ କରି ରଖାଯାଇଛି। ମାତ୍ର ବିଧି ଅନୁଯାୟୀ ଏହାର ଉଭୟ ପାର୍ଶ୍ୱରେ କୌଣସି ପାଚେରୀ ବାଡ(ୱାଲ)ନିର୍ମାଣ କରାଯାଇନାହିଁ। ସେହିପରି ବର୍ଷାପାଣି ଯିବା ପାଇଁ କୌଣସି ଡ୍ରେନ ମଧ୍ୟ ନାହିଁ । ଫଳରେ ରାସ୍ତା ଉପରେ ଥିବା ଶହଶହ ଟ୍ରିପ ପାଉଁଶ ବର୍ଷା ପାଣିରେ ଭାସି ଉକ୍ତ ଗ୍ରାମର ପ୍ରାୟ ୨୦ ଜଣଙ୍କ ଚାଷ ଜମିରେ ପଶିଛି। ଏହାଦ୍ୱାରା ବୁଣାଯାଇଥିବା ଧାନଗଛ ଏବଂ ଧାନ ପହ୍ଳା ଆଦି ପୋତି ହୋଇଯାଇଛି। ସମ୍ପୃକ୍ତ ଚାଷ ଜମି ପାଉଁଶରେ ପୋତି ହୋଇଯାଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ସେଥିରୁ କୌଣସି ଫସଲ ହେବା ଆଶା କରାଯାଇପାରିବ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଏନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ବାରକୋଟ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ହେଲେ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ଚାଷୀମାନେ କହିଛନ୍ତି। ନିର୍ମାଣକାରୀ ସଂସ୍ଥା କିମ୍ବା ତଦାରଖ ଦାୟିତ୍ୱରେ ଥିବା ଏନ୍‌ଏଚଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏ ସମ୍ପର୍କରେ ତହସିଲଦାର ତାପସ ଭୋଇଙ୍କୁ ତାଙ୍କ ମୋବାଇଲ ନଂ ୬୩୭୦୬୬୯୪୮୩ରେ ଯୋଗଯୋଗ କରାଯାଇଥିଲା। ରିଙ୍ଗ ହେବା ସତ୍ତ୍ୱେ ସେ ଫୋନ ରିସିଭ କରି ନ ଥିଲେ। ପରେ ପ୍ରତିକ୍ରିୟା ପାଇଁ ତାଙ୍କୁ ହ୍ବାଟସଆପ୍‌ରେ ମେସେଜ ଦେବା ପରେ ଆର୍‌ଡିସି ଅଫିସରେ ଚାଲିଥିବା ରିଭ୍ୟୁ ମିଟିଂରେ ଅଛି ବୋଲି ଏତିକି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share