Categories: ଜାତୀୟ

ଫାରୁକ୍‌ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ: ଚାଇନା ସହାୟତାରେ ପୁଣି ଲାଗୁହେବ ଅନୁଚ୍ଛେଦ ୩୭୦

ଶ୍ରୀନଗର, ୧୧।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଫାରୁକ୍‌ ରବିବାର କହିଛନ୍ତି ଯେ, ଚାଇନା ସହାୟତାରେ ଜମ୍ମୁ-କଶ୍ମୀରରେ ପୁଣିଥରେ ଅନୁଚ୍ଛେଦ ୩୭୦ ଏବଂ ଅନୁଚ୍ଛେଦ ୩୫-ଏ ଲାଗୁ କରାଯିବାର ସମ୍ଭାବନା ରହିଛି। ସେହିପରି ଜମ୍ମୁ-କଶ୍ମୀରର ବିକାଶ ପାଇଁ ସେ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଏବେ ବି ଜମ୍ମୁ-କଶ୍ମୀରର ସ୍ଥିତିରେ ସୁଧାର ଆସି ନ ଥିବା ଫାରୁକ୍‌ କହିଛନ୍ତି। ଦେଶରେ ଇଣ୍ଟରନେଟ୍‌ କ୍ଷେତ୍ରରେ ୪-ଜି ସେବା ପରେ ୫-ଜି ସେବା ନେଇ ଯୋଜନା ଜାରି ରହିଥିବା ବେଳେ ଜମ୍ମୁ-କଶ୍ମୀରରେ ୨-ଜି ସେବା ପୂର୍ବଭଳି କାର୍ଯ୍ୟ କରୁଛି। ଲୋକଙ୍କ ପାଖରେ ରୋଜଗାରର ମାଧ୍ୟମ ନ ଥିବାବେଳେ ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ କହିବା ଏବଂ କାମରେ ଫରକ୍‌ ରହିଥିବା ସେ ଅଭିଯୋଗ କରିଛନ୍ତି।

Share