Categories: ଜାତୀୟ

ଫାରୁକ୍‌-ଉମର ନଜରବନ୍ଦ, ମେହବୁବାଙ୍କ ଉପରେ କଟକଣା

ଶ୍ରୀନଗର,୧୪।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍‌ କନଫରେନ୍ସ୍‌ର ନେତା ଫାରୁକ୍‌ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଉମର ଅବଦୁଲ୍ଲାଙ୍କୁ ନଜରବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଉମର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିପରି ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ଉପରେ କଟକଣା ଜାରି କରାଯାଇଛି। ତାଙ୍କୁ ପୁଲଓ୍ବାମା ଯିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଉମରଙ୍କ ଘର ସମ୍ମୁଖରେ ଏକ ମୋବାଇଲ୍‌ ସିକ୍ୟୁରିଟି ଭ୍ୟାନ୍‌ ଛିଡ଼ା କରାଯାଇଛି। ରବିବାର ଉମର ଗୁଲମାର୍ଗ ଯିବାର ଥିଲା। ସେହିପରି ଫାରୁକ୍‌ ଗାନ୍ଦରଓ୍ବଲ ଅଞ୍ଚଳ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ଥିଲା। ତେବେ ଏସବୁକୁ ବାତିଲ କରାଯାଇଛି। ଉମର କହିଛନ୍ତି ଯେ, ୨୦୧୯ ଅଗଷ୍ଟ ୫ରେ କୌଣସି ପୂର୍ବ ସୂଚନା ନ ଦେଇ ସେମାନଙ୍କୁ ଘରେ ବନ୍ଦ କରାଯାଇଥିଲା। ଏବେ ପୁଣି ସେପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଭଉଣୀ ଏବଂ ପିଲାମାନଙ୍କୁ ମଧ୍ୟ ଘରେ ବନ୍ଦ କରାଯାଇଥିବା ଉମର ଟୁଇଟ କରି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଥିଲେ।

Share