Categories: ଖେଳ

ଫାରୀ, ହକେଟ ଆନାଲିଟିକାଲ କୋଚ୍‌

ନୂଆଦିଲ୍ଲୀ, ୮ା୪(ପି.ଟି.): ଭାରତୀୟ ମହିଳା ଓ ପୁରୁଷ ହକି ଦଳ ପାଇଁ ନୂଆ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ଜଣାଶୁଣା ଅଷ୍ଟ୍ରେଲୀୟ କୋଚ୍‌ ଆନ୍ଥୋନୀ ଫାରୀ ଓ ଦକ୍ଷିଣ ଆଫ୍ରିକାର ରେହେଟ ହକେଟ ଯଥାକ୍ରମେ ମହିଳା ଓ ପୁରୁଷ ଦଳର ଆନାଲିଟିକାଲ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଫାରୀଙ୍କ ତତ୍ତ୍ୱାବଧାନରେ କାନାଡ଼ା ପୁରୁଷ ଦଳ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଜାପାନ ମହିଳା ଦଳକୁ ୨୦୧୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ କରାଇବାରେ ମଧ୍ୟ ତାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ତାଙ୍କ ତତ୍ତ୍ୱାବଧାନରେ ୨୧ ବର୍ଷରୁ କମ୍‌ କାନାଡ଼ା ପୁରୁଷ ଦଳ କ୍ରମାଗତ ଭାବେ ଜୁନିୟର ହକି ବିଶ୍ୱକପ ଯୋଗ୍ୟତା ପାଇଥିଲା। ଏହା ବ୍ୟତୀତ ସେ ୨୦୨୦ ଅଗଷ୍ଟରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ଆମେରିକା ମହିଳା ହକି ଦଳର ହାଇପରଫର୍ମାନ୍ସ ନିର୍ଦ୍ଦେଶକ ଥିଲେ। ସେ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନଙ୍କୁ ସହାୟତା କରିବେ।
ଫାରୀ ଓ ହକେଟଙ୍କ ବ୍ୟତୀତ ହକି ଇଣ୍ଡିଆ ଅଷ୍ଟ୍ରେଲିଆର ଆଲାନ ଟାନ୍‌ଙ୍କୁ ଭାରତୀୟ ପୁରୁଷ ଦଳର ବୈଜ୍ଞାନିକ ପରାମର୍ଶଦାତାଭାବେ ନିଯୁକ୍ତି ଦେଇଛି। କିଛି ଦିନତଳେ ଦକ୍ଷିଣ ଆଫ୍ରିକାର କ୍ରେଗ୍‌ ଫୁଲଟନ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଥିଲେ। ଉଭୟ ହକେଟ ଓ ଟାନ୍‌ ଏବେ ଫୁଲଟନଙ୍କ କୋଚିଂ ସେଟ୍‌ଅପ୍‌ର ଅଂଶବିଶେଷ ହେବେ। ହକେଟ ୨୦୧୦ରୁ ୨୦୧୮ ମଧ୍ୟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୫୫ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ୨୦୨୦ରେ ସେ ନେଦରଲାଣ୍ଡ୍ସ ମହିଳା ଦଳର ସହକାରୀ କୋଚ୍‌ ଥିଲେ। ଏହାପରେ ସେ ସ୍କଟଲାଣ୍ଡ ଯାଇ ଉଭୟ ସିନିୟର ଓ ୨୧ ବର୍ଷରୁ କମ୍‌ ଦଳକୁ କୋଚିଂ ଦେଇଥିଲେ। ଅନ୍ୟପକ୍ଷରେ ଟାନ୍‌ଙ୍କର ନ୍ୟୁ ସାଉଥ୍‌ ଓ୍ବେଲ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟରେ ୧୦ ବର୍ଷ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିଶନିଂ କୋଚ୍‌ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ଅଛି। ନୂଆ କୋଚିଂ ଷ୍ଟାଫ୍‌ଙ୍କୁ ସ୍ବାଗତ କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ଆଗକୁ ଏସିଆନ ଗେମ୍ସ ଆସୁଥିବାରୁ ତ୍ୱରିତ ପଦକ୍ଷେପ ନେଇ ଏପରି ନିଯୁକ୍ତି ଦେଇଥିବାରୁ ଦିଲୀପ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଧନ୍ୟବାଦ ଜଣାଇଛନ୍ତି।

Share