ଦାଦନ ଶ୍ରମିକରୁ ଫ୍ୟାଶନ ଡିଜାଇନର

ରାୟଗଡ଼ା ଅଫିସ,୩ା୯: ପାଖରେ ପ୍ରତିଭା ସହ କିଛି କରିବାର ଇଚ୍ଛାଶକ୍ତି ଥିଲେ ସୁଯୋଗ ଆପେ ଆସେ। ଉପାନ୍ତ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳର ଅଜୟ ସୁନା ଏହା ପ୍ରମାଣିତ କରିଛନ୍ତି। ମା’, ବାପା ଆରପାରିକୁ ଚାଲିଯିବା ପରେ ଅଜୟ ନିରୁପାୟ ହୋଇ ୨୦୧୬ରେ ଦାଦନ ଖଟିବାକୁ ଛତିଶଗଡ଼ ଚାଲିଯାଇଥିଲେ। ହେଲେ ଫ୍ୟାଶନ ଡିଜାଇନର ହେବା ନେଇ ରହିଥିବା ସ୍ବପ୍ନକୁ ସେ ଭୁଲି ନ ଥିଲେ। ଅନେକ ସଂଘର୍ଷ ମଧ୍ୟରେ ଛତିଶଗଡ଼ର ରାୟପୁରରେ କାମ କରିବା ସମୟରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଥିଲେ। ୨୦୨୦ରେ ଛତିଶଗଡ଼ରେ ଆୟୋଜିତ ‘ମିଷ୍ଟର ଛତିଶଗଡ଼’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅଜୟ ମିଷ୍ଟର ଛତିଶଗଡ଼ ପାଲଟିଥିଲେ।

ପରେ ସେ ଆଉ ପଛକୁ ଫେରିନାହାନ୍ତି। ଏବେ ସେ ଜଣେ ସଫଳ ଫ୍ୟାଶନ ଡିଜାଇନର ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ବିଭିନ୍ନ ଫ୍ୟାଶନ ଡିଜାଇନ୍‌ ଶୋ’ରେ ସେ ଜଜ୍‌ ଭାବେ କାମ କରୁଛନ୍ତି। ନିଜର ସଫଳତା ନେଇ ଅଜୟ କୁହନ୍ତି, ରାୟପୁରରେ କାମ କରିବା ସମୟରେ ଖବରକାଗଜରୁ ମିଷ୍ଟର ଛତିଶଗଡ଼ ଅଡିଶନ୍‌ ଚାଲିଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ଅନେକ ଉଦ୍ୟମ ପରେ ଶେଷରେ ସଫଳ ହୋଇଛନ୍ତି। ଏଥିସହ ଶୀଘ୍ର ସେ ସମ୍ବଲପୁରୀ ଡିଜାଇନ୍‌କୁ ନେଇ ମଧ୍ୟ ନିଜର ଫ୍ୟାଶନ ଦେଖାଇବେ ବୋଲି କହିଛନ୍ତି।

Share