Categories: ଜାତୀୟ

ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ଅବଧି ୩ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ,୩୦ା୧୧: ଦେଶରେ ଯୌନ ଅପରାଧ ସମ୍ପର୍କିତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ଗଠିତ ଫାଷ୍ଟ ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତଗୁଡ଼ିକର ଅବଧିକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ୨୦୧୮ରେ ଆପରାଧିକ ଆଇନ ସଂଶୋଧନ ଆଇନ ଗୃହୀତ ହେବା ଏବଂ ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୩୧ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧,୦୨୩ ଫାଷ୍ଟ ଟ୍ରାକ୍‌ ସ୍ପେଶାଲ କୋର୍ଟ ଗଠନ କରିଥିଲେ। ସେଥିରୁ ୩୮୯ କୋର୍ଟରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ବିଚାର ହୋଇଥାଏ। ୨୦୧୯ ଗାନ୍ଧୀ ଜୟନ୍ତୀରେ ଏହି କୋର୍ଟଗୁଡ଼ିକ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମେ ବର୍ଷେ ଓ ପରେ ଆଉ ୨ ବର୍ଷ ଅବଧି ବଢ଼ାଯାଇଥିଲା। ବର୍ତ୍ତମାନ ଆଉ ୩ ବର୍ଷ ଅବଧି ବୃଦ୍ଧି ଫଳରେ ସରକାରୀ ରାଜକୋଷକୁ ୧୯୫୨.୨୩ କୋଟି ଟଙ୍କାର ବୋଝ ସହିବାକୁ ପଡ଼ିବ। ଏଥିରୁ କେନ୍ଦ୍ର ୧୨୦୭.୨୪ କୋଟି ଓ ରାଜ୍ୟଗୁଡ଼ିକ ୭୪୪.୯୯ କୋଟି ଟଙ୍କା ପ୍ରଦାନ କରିବେ। କେନ୍ଦ୍ରୀୟ ଅର୍ଥ ନିର୍ଭୟା ପାଣ୍ଠିରୁ ଦିଆଯିବ।

Share