ମେଦ ବୃଦ୍ଧି କରେ ମୃଦୁ ପାନୀୟ

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ପ୍ରାୟ ଅନେକଙ୍କର ଚିନ୍ତାର କାରଣ ସାଜିଛି। ସାଧାରଣତଃ ଆବଶ୍ୟକତାଠାରୁ ଅଧିକ ଖାଇବା ଏବଂ କୌଣସି କାମ ନ କରି ବସି ରହିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ। କିନ୍ତୁ ଏହା ପଛରେ ଆଉ ଏକ କାରଣ ରହିଛି। ମୃଦୁ ପାନୀୟ ପିଇବା ଦ୍ୱାରା ମେଦବହୁତଳା ପରି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। କେକ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ ପକ୍ଷରୁ ‘ମେଦ ବୃଦ୍ଧି ଓ ମୃଦୁ ପାନୀୟ’ ଶୀର୍ଷକ ବିଷୟକୁ ନେଇ ଏକ ସର୍ଭେ କରାଯାଇଥିଲା। ଉକ୍ତ ସ୍କୁଲ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କେତେକ ମୃଦୁ ପାନୀୟରେ ସୁକ୍ରୋଜ ତତ୍ତ୍ୱ ଅଧିକ ରହିଛି, ଯାହା ଓଜନ ବଢ଼ାଇବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ, ଏଥିଯୋଗୁଁ ମଧ୍ୟ ଅଧିକ ଭୋକ ଲାଗିଥାଏ। ଅନ୍ୟପକ୍ଷରେ ମୃଦୁ ପାନୀୟରେ ଯଦି ମିଠାର ପରିମାଣ ଅଧିକ ହୋଇଗଲା, ତେବେ ତାହା ମସ୍ତିଷ୍କ କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି।