ଫ୍ୟାଟ୍‌ ମ୍ୟାନ୍‌ ବୋମା

ସେଦିନ ଥିଲା ୧୯୪୫ ମସିହା ଅଗଷ୍ଟ ୯ ତାରିଖ। ଦୀର୍ଘ ଛଅ ବର୍ଷ ଧରି ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗିରହିଥାଏ। ଦିନ ପ୍ରାୟ ୧୧ଟା ୨ ମିନିଟ୍‌ ସମୟରେ ଜାପାନର ନାଗାସାକି ସହର ଉପରେ ହଠାତ୍‌ ନିଆଁର ଝଡ଼ ମାଡ଼ିଆସିଲା। ସାରା ସହରଟା କେଇଟା ସେକେଣ୍ଡ୍‌ ମଧ୍ୟରେ ଜଳି ଉଠିଲା। ଲୋକମାନେ କିଛି ବୁଝିବା ପୂର୍ବରୁ ନିଆଁର ପ୍ରଚଣ୍ଡ ତାତିରେ ଜଳିପୋଡ଼ି ପାଉଁଶ ହେଇଗଲେ। ପୂରା ସହର ତୀବ୍ର କମ୍ପନରେ ଥରିଗଲା। ଏକ ମିନିଟ୍‌ ଭିତରେ ସହର ଉପରେ ନିଆଁର ଏକ ବିଶାଳ ପେଣ୍ଡୁ ଉପରକୁ ଉଠିଲା। ତାହା କୌଣସି ପ୍ରାକୃତିକ ଘଟଣା କିମ୍ବା ଦୈବୀ ଦୁର୍ବିପାକ ନଥିଲା। ବରଂ ନାଗାସାକି ସହର ଉପରେ ପରମାଣୁ ବୋମା ପଡ଼ିବା ଫଳରେ ଏମିତି ହେଲା। କାରଣ ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା ଏବଂ ଆମେରିକା ତରଫରୁ ଜାପାନ ଉପରେ ଏହି ପରମାଣୁ ବୋମା ପଡ଼ିଥିଲା। ଥରେ ନୁହେଁ, ବରଂ ଦୁଇଥର ଜାପାନ ଉପରେ ପରମାଣୁ ବୋମା ପଡ଼ିଥିଲା। ପ୍ରଥମ ବୋମାଟି ପଡ଼ିଥିଲା ଅଗଷ୍ଟ ୬ ତାରିଖରେ ହିରୋଶିମାରେ ଏବଂ ଦ୍ୱିତୀୟ ବୋମାଟି ପଡ଼ିଥିଲା ଅଗଷ୍ଟ ୯ ତାରିଖରେ ନାଗାସାକି ସହର ଉପରେ। ନାଗାସାକି ସହର ଉପରେ ପଡ଼ିଥିବା ପରମାଣୁ ବୋମାର ନାମ ଥିଲା ‘ଫ୍ୟାଟ୍‌ ମ୍ୟାନ୍‌’। ‘ଫ୍ୟାଟ୍‌ ମ୍ୟାନ୍‌’ ବୋମାଟି ମାତ୍ର ଏକ ମିନିଟ୍‌ ଭିତରେ ନାଗାସାକିର ପ୍ରାୟ ୭୦,୦୦୦ ନିରୀହ ଲୋକଙ୍କର ଜୀବନ ନେଇଥିଲା। ତା’ ସହିତ ନାଗାସାକି ସହରର ଅଧେରୁ ଅଧିକ ଅଞ୍ଚଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲା।
ନାଗାସାକି ସହରର କରୁଣ ପରିସ୍ଥିତି ପାଇଁ ନିଉକ୍ଲିୟ ଶକ୍ତିକୁ ଦାୟୀ କରାଯାଏ। କାରଣ, ‘ଫ୍ୟାଟ୍‌ ମ୍ୟାନ୍‌’ ବୋମାରୁ ନିଉକ୍ଲିୟ ଶକ୍ତି ବାହାରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ପରମାଣୁ ବୋମାରେ ବିପୁଳ ନିଉକ୍ଲିୟ ଶକ୍ତି ଉତ୍ପନ୍ନ ନିମନ୍ତେ ଯେଉଁ ପ୍ରକ୍ରିୟା କାର୍ଯ୍ୟକରେ, ତାହା ହେଉଛି ‘ନିଉକ୍ଲିୟ ବିଭାଜନ ପ୍ରକ୍ରିୟା’। ଏହାକୁ ଆମେ ଇଂଲିଶରେ ‘ନିଉକ୍ଲିଅର୍‌ ଫିଶନ୍‌’ ବୋଲି କହୁ। ୧୯୩୮ ମସିହାରେ ଜର୍ମାନୀର ବୈଜ୍ଞାନିକ ଓଟୋ ହାନ୍‌ ଓ ଫ୍ରିଜ୍‌ ଷ୍ଟ୍ରାସ୍‌ମାନ୍‌ ପ୍ରଥମେ ନିଉକ୍ଲିୟ ବିଭାଜନ ପଦ୍ଧତି ଆବିଷ୍କାର କରିଥିଲେ। ଏହି ପଦ୍ଧତିକୁ ପ୍ରୟୋଗ କରାଯାଇ ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିହେବ ବୋଲି ବୈଜ୍ଞାନିକମାନେ ଜାଣିପାରିଲେ। ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାଳେ ଜର୍ମାନୀର ନାଜୀ ସରକାର ଏହାକୁ ବ୍ୟବହାର କରି ପ୍ରଥମେ ପରମାଣୁ ବୋମା ତିଆରି କରିଦେବେ, ସେହି ଭୟରେ ଆଇନ୍‌ଷ୍ଟାଇନ୍‌ ଆମେରିକାର ରାଷ୍ଟ୍ରପତିଙ୍କୁ ପରମାଣୁ ବୋମା ତିଆରି କରିବା ପାଇଁ ଅନୁମତି ମାଗିଥିଲେ। ତା’ ପରେ ଆମେରିକା ପରମାଣୁ ବୋମା ତିଆରି କଲା। ପରମାଣୁ ବୋମା ଯେ ଏତେ ନାରକୀୟ କାଣ୍ଡ ଘଟାଇପାରେ, ହୁଏତ ପରମାଣୁ ବୋମା ପକେଇବା ପୂର୍ବରୁ ଆଇନ୍‌ଷ୍ଟାଇନ୍‌ ସେକଥା ଭାବି ନଥିଲେ। ପରମାଣୁ ବୋମାର ପ୍ରଭାବ ବର୍ଷ ବର୍ଷ ଧରି ରହେ। ଏହାର ପ୍ରମାଣ ଅତି ସହଜ। ଲିଟିଲ୍‌ ବୟ୍‌ ଓ ଫ୍ୟାଟ୍‌ ମ୍ୟାନ୍‌ ପରମାଣୁ ବୋମା ଦୁଇଟା ୧୯୪୫ ମସିହାରେ ପଡ଼ିଥିଲା। ଏହା ଭିତରେ ଦୀର୍ଘ ୭୮ ବର୍ଷ ବିତିଗଲାଣି। ତଥାପି ଆଜି ପରମାଣୁ ବୋମାର କୁପ୍ରଭାବ ହେତୁ ଜାପାନର ହିରୋଶିମା ଓ ନାକାସାକିରେ ବିକଳାଙ୍ଗ ଶିଶୁ ଜନ୍ମ ନେଉଛନ୍ତି, ବିକୃତ ପ୍ରଜାପତି ଓ ଫଳ ଦେଖିବାକୁ ମିଳୁଛି।
‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାଟି ପ୍ଲୁଟୋନିୟମ୍‌ ପଦାର୍ଥରେ ତିଆରି ହୋଇଥିଲା। ପ୍ଲୁଟୋନିୟମ୍‌ ପଦାର୍ଥ ଭିତରେ ଓଜନିଆ ନିଉକ୍ଲିୟସ୍‌ ଥାଏ। କ୍ଷୀପ୍ର ଗତିରେ ଯାଉଥିବା କ୍ଷୁଦ୍ରକଣିକା ନିଉଟ୍ରନ୍‌ ଦ୍ୱାରା ପ୍ଲୁଟୋନିୟମ୍‌ ଓଜନିଆ ନିଉକ୍ଲିୟସ୍‌କୁ ଆଘାତ କଲେ ସେହି ନିଉକ୍ଲିୟସ୍‌ ଭାଙ୍ଗିଯାଏ। ବଡ଼ ନିଉକ୍ଲିୟସ୍‌ ଭାଙ୍ଗିଲେ ସେଥିରୁ ଛୋଟ ଛୋଟ ନିଉକ୍ଲିୟସ୍‌ ଓ ଅନ୍ୟ କଣିକା ତିଆରି ହୁଏ। ଏହିପରି ଘଟଣାକୁ ଆମେ ନିଉକ୍ଲିୟ ବିଭାଜନ ବୋଲି କହୁ। ତେବେ ଏଥିରେ ନୂଆକରି ସୃଷ୍ଟି ହେଉଥିବା ସମସ୍ତ ନିଉକ୍ଲିୟସ୍‌ ଓ କଣିକାଗୁଡ଼ିକର ବସ୍ତୁତ୍ୱ ମୂଳ ନିଉକ୍ଲିୟସ୍‌ ଓ ନିଉଟ୍ରନ୍‌ର ବସ୍ତୁତ୍ୱଠାରୁ କମ୍‌ ଥାଏ। ଏହାର କାରଣ କମି ଯାଇଥିବା ବସ୍ତୁତ୍ୱ ହିଁ ପ୍ରଚୁର ଶକ୍ତିରେ ରୂପାନ୍ତରିତ ହୋଇଥାଏ। ନିଉକ୍ଲିୟ ବିଭାଜନରୁ ବାହାରୁଥିବା ସେହି ଶକ୍ତିର ନାମ ‘ନିଉକ୍ଲିୟ ଶକ୍ତି’। ଆଇନ୍‌ଷ୍ଟାଇନ୍‌ ଏହି ବସ୍ତୁତ୍ୱ-ଶକ୍ତି ରୂପାନ୍ତର ବିଷୟରେ ସୂନା ଦେଇଥିଲେ। ପରମାଣୁ ବୋମାରେ ଆବଶ୍ୟକ ହେଉଥିବା ସର୍ବନିମ୍ନ ପରିମାଣର ୟୁରାନିୟମ୍‌ ବା ପ୍ଲୁଟୋନିୟମ୍‌ ବସ୍ତୁତ୍ୱକୁ କ୍ରାନ୍ତିକ-ବସ୍ତୁତ୍ୱ (କ୍ରିଟିକାଲ୍‌ ମାସ୍‌) କୁହାଯାଏ। ପ୍ଲୁଟୋନିୟମ୍‌ର ବସ୍ତୁତ୍ୱ କ୍ରାନ୍ତିକ-ବସ୍ତୁତ୍ୱଠାରୁ କମ୍‌ ରହିଲେ ବୋମା କାମ କରିବ ନାହିଁ। ତେଣୁ ‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାରେ ଦୁଇଟି ପ୍ଲୁଟୋନିୟମ୍‌ ଅର୍ଦ୍ଧଗୋଲକ ଥିଲା। ପ୍ରତ୍ୟେକ ଅର୍ଦ୍ଧଗୋଲକର ବସ୍ତୁତ୍ୱ କ୍ରାନ୍ତିକ-ବସ୍ତୁତ୍ୱଠାରୁ କମ୍‌ ଥିଲା। କ୍ରାନ୍ତିକ-ବସ୍ତୁତ୍ୱଠାରୁ କମ୍‌ ବସ୍ତୁତ୍ୱର ଦୁଇଟି ପ୍ଲୁଟୋନିୟମ୍‌ ଅର୍ଦ୍ଧଗୋଲକକୁ ଏକ ବିସ୍ଫୋରକ ଘୋଡ଼ଣି ଭିତରେ ରଖାଯାଇଥିଲା। ତେଣୁ ‘ଫ୍ୟାଟ୍‌ ମ୍ୟାନ୍‌’ ବୋମାକୁ ଉଡ଼ାଜାହାଜରେ ନେବା ସମୟରେ ବୋମାଟି ନିଷ୍କ୍ରିୟ ଅବସ୍ଥାରେ ରହିଥିଲା। ଯେତେବେଳେ ଉଡାଜାହାଜ ନାଗାସାକି ସହର ପାଖାପାଖି ହେଲା, ସେତେବେଳେଚାପ ପ୍ରୟୋଗ କରି ଦୁଇଟା ଅର୍ଦ୍ଧଗୋଲକକୁ ମିଶେଇ ଦିଆଗଲା। ଦୁଇଟା ଅର୍ଦ୍ଧଗୋଲକ ଭାଗ ମିଶିଗଲା ପରେ ସେମାନଙ୍କର ମିଳିତ ବସ୍ତୁତ୍ୱ କ୍ରାନ୍ତିକ-ବସ୍ତୁତ୍ୱଠାରୁ ଅଧିକ ହୋଇଗଲା। ତା’ ପରେ ସେହି ପେଣ୍ଡୁ ଭିତରକୁ ନିଉଟ୍ରନ୍‌ ନିକ୍ଷେପ କରାଗଲା ଏବଂ ବୋମାକୁ ନାଗାସାକି ଉପରେ ପକେଇ ଦିଆଗଲା। ବୋମା ଭିତରେ ନିଉକ୍ଲିୟ ବିଭାଜନ ହେବାରୁ ସେଥିରୁ ପ୍ରଚୁର ‘ନିଉକ୍ଲିୟ ଶକ୍ତି’ ସୃଷ୍ଟି ହେଲା। ନିମିଷକ ମଧ୍ୟରେ ବୋମାର ‘ନିଉକ୍ଲିୟ ଶକ୍ତି’ ଦ୍ୱାରା ନାଗାସାକି ସହର ଉପରେ ୧୦ ଲକ୍ଷ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ତାପମାତ୍ରା ଓ ସାଧାରଣ ବାୟୁମଣ୍ଡଳୀୟ ଚାପର ସହସ୍ର ଗୁଣ ଚାପ ସୃଷ୍ଟି ହେଲା। ଏକ ସମୟରେ ପ୍ରାୟ ୨୨,୦୦୦ ଟନ୍‌ ଟ୍ରାଇ-ନାଇଟ୍ରୋ-ଟୋଲୁଇନ୍‌ (ଟି.ଏନ୍‌.ଟି.) ବିସ୍ଫୋରକ ଦ୍ରବ୍ୟର ବିସ୍ଫୋରଣରୁ ଯେତିକି ଶକ୍ତି ବାହାରେ, କେବଳ ଗୋଟିଏ ‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାରୁ ସେତିକି ଶକ୍ତି ନିର୍ଗତ ହୋଇଥିଲା। ତେଣୁ ‘ଫ୍ୟାଟ୍‌ ମ୍ୟାନ୍‌’ ପରମାଣୁ ବୋମାର ପ୍ରଚଣ୍ଡ ‘ନିଉକ୍ଲିୟ ଶକ୍ତି’ ନାଗାସାକି ସହରକୁ ମାତ୍ର କେଇଟା ମୁହୂର୍ତ୍ତ ମଧ୍ୟରେ ଶ୍ରୀହୀନ କରିଦେଲା।

ଡ. ସନ୍ତୋଷ କୁମାର ଅଗ୍ରୱାଲ
-ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
ମୋ: ୯୮୬୧୧୮୦୫୯୮


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri