ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଜଣେ ଅଭିଭାବକଙ୍କ ମରଣାନ୍ତକ ଆକ୍ରମଣ

ବାଲିଗୁଡ଼ା,୨୯ା୬(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ୧୧ନଂ ଓ୍ବାର୍ଡରେ ଥିବା ପଣସପୋଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଶମ୍ଭୁ ମଳିକଙ୍କୁ ଅନ୍ୟ ଜଣେ ଅଭିଭାବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଶମ୍ଭୁଙ୍କ ମୁଣ୍ଡ ଫାଟି ଗୁରୁତର ହୋଇଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ଶନିବାର ଥିବାରୁ ପଣସପୋଡ଼ି ବିଦ୍ୟାଳୟରେ ସକାଳ ୧୦ଟାରେ ମଧ୍ୟାହ୍ନଭୋଜନ ଖାଇସାରି ଶମ୍ଭୁ ନିଜର ଥାଳି ଓ ହାତ ଧୋଇ ଆସିବା ସମୟରେ ହଠାତ ଜଗା ନାୟକ ନାମକ ଜଣେ ଯୁବକ ବିଦ୍ୟାଳୟ ପରିସରକୁ ଆସି ଶମ୍ଭୁଙ୍କୁ ଛୁରାମାଡ଼ କରିବା ସହ ଟେକି କଚାଡ଼ି ଦେଇଥିଲେ। ତାହାପୁଣି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସମ୍ମୁଖରେ। ଯାହାଫଳରେ ଶମ୍ଭୁ ଗୁରୁତର ଅଛନ୍ତି। ଏହାପରେ ବିଦ୍ୟାଳୟର କର୍ତ୍ତୃପକ୍ଷ ଶମ୍ଭୁଙ୍କ ଘରକୁ ଖବର ଦେବା ସହ ମେଡିକାଲ ନେଇ ଚିକିତ୍ସା କରାଇଛନ୍ତି। ଏହାପରେ ଏହି ଘଟଣାକୁ ନେଇ ଅଭିବାବକ ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଙ୍କୁ ନେଇ ବିଦ୍ୟାଳୟରେ ଏକ ବୈଠକ ହୋଇଥିଲା। (ପୂର୍ବରୁ ଦୁଇ ଛାତ୍ର ଶମ୍ଭୁୁ ମଳିକ ଓ କାର ନାୟକ କୌଣସି କାରଣକୁ ନେଇ ବଚସା ହୋଇଥିଲେ)। ଏହାକୁ ନେଇ ଅଭିଭାବକ ଜଗା ନାୟକ ଏହି କାଣ୍ଡ କରିଛନ୍ତି ବୋଲି ଆଲୋଚନା ହେଉଛି। ଏହି ଘଟଣାକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଛାତ୍ରଙ୍କ ମା’ ମଧ୍ୟ ତାଙ୍କ ପିଲାକୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଏତଲା ଦେଇଛନ୍ତି। ଏହାକୁ ନେଇ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି କହିଛନ୍ତି, ଏହି ବିଷୟରେ ମୁଁ ଜାଣିଛି ଓ ଏହାକୁ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ସୁଶାନ୍ତ ସାହୁ ଏହି ଘଟଣାକୁ ନେଇ ଛାତ୍ରଙ୍କ ମା’ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନମିତା ପ୍ରହରାଜ ପିଲାକୁ ମାଡ଼ ମାରିବା କହି ଅଭିଯୋଗ କରିଛନ୍ତି। ଏହାକୁ ନେଇ ଦୁଇଟି ମାମଲା କେସ୍‌ ନମ୍ବର ୧୪୮ ଓ ୧୪୯ରେ ରୁଜୁ କରି ତଦନ୍ତ କରାଯାଉଛି ବୋଲି କହିଛନ୍ତି।