ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ

ପାଟଣାଗଡ଼,୨୬।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଭରତବାହାଲ ଗ୍ରାମରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ତମିଆଁ ଗ୍ରାମର ଔଷଧ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।
ସୂଚନାଯୋଗ୍ୟ, ସକାଳେ ପ୍ରଧାନ ନିକଟସ୍ଥ ନଦୀରୁ ଶୌଚ ହୋଇ ଫେରିବା ବେଳେ ଗ୍ରାମର ଭକ୍ତ ନାଏକ ନାମକ ଜଣେ ବ୍ୟକ୍ତି ଅତର୍କିତ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଲରମ୍ଭା ଥାନାରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

Share