ଜନସେବା କେନ୍ଦ୍ର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ: ଉତ୍ତ୍ୟକ୍ତ ହୋଇ ପୋଡ଼ି ଦେଲେ ଦୋକାନ, ବାଇକ୍‌

ହାଟଡିହୀ,୨୭l୬(ଶୁଭକାନ୍ତ ନାୟକ): ସାମାନ୍ୟ କଥାକୁ କେନ୍ଦ୍ର କରି ହାଟଡିହୀ ଥାନା ନିକଟରେ ଥିବା ଜନସେବା କେନ୍ଦ୍ରରେ କେତେକ ଲୋକ ପଶି ମାଲିକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ଜନସେବା କେନ୍ଦ୍ର ମାଲିକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଲୋକ ବଜାରରେ ଥିବା ଆକ୍ରମଣକାରୀ ଭାଇଙ୍କ ଏକ ଚିକେନ ଦୋକାନ ସହ ବାଇକ୍‌କୁ ପୋଡି ଦେଇଛନ୍ତି l ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ବଜାରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣା ଗୁରୁବାର କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନିକଟରେ ଥିବା ମରୈଗାଁ ବଜାରରେ ଘଟିଛି l

ଥାନା ନିକଟରେ ଏକ ଜନସେବା କେନ୍ଦ୍ର କରିଥିବା ଅମର ସେଠୀଙ୍କୁ ଚଣ୍ଡିଆବିରଞ୍ଚିପୁର ଗାଁର କେତେକ ଲୋକେ ଆକ୍ରମଣ କରିଛନ୍ତି l ଏହି ଘଟଣା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା l ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଚଣ୍ଡୀଆବିରଞ୍ଚିପୁର ଗାଁର ପ୍ରତାପ ଜେନା ଙ୍କ ଏକ ପିଏଫ୍‌ ଅନଲାଇନ ଆବେଦନକୁ ନେଇ ଜନ ସେବା କେନ୍ଦ୍ରର ମାଲିକ ଅମରଙ୍କ ସହ ସକାଳ ସମୟରେ ଯୁକ୍ତିତର୍କ ହୋଇଥିଲା ।

ଅପରାହ୍ନରେ ପ୍ରତାପ ନିଜ ଗାଁ ରୁ କିଛି ଯୁବକଙ୍କୁ ସାଙ୍ଗରେ ଆଣି ଜନସେବା କେନ୍ଦ୍ରରେ ପଶି ଧାରୁଆ ଅସ୍ତ୍ରରେ ଅମରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି l ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ l ଥାନା ଅଧିକାରୀ ପାତ୍ର କହିଛନ୍ତି ଯେ, ସାମାନ୍ୟ କଥାକୁ ନେଇ ଏହି ଘଟଣା ଘଟିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।