ଆରଆଇଙ୍କୁ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ

ନିଶ୍ଚିନ୍ତକୋଇଲି,୨୨।୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ଓ ଚୋରା କାରବାର ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ଯାଇ ମାହାଙ୍ଗା ଆରଆଇ ଗଣେଶ୍ୱର ହେମ୍ବ୍ରମଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ମାହାଙ୍ଗା ତହସିଲ ପକ୍ଷରୁ ଏକ ଟିମ ବେଆଇନ ବାଲିଉଠାଣ ହେଉଥିବା ଖବର ପାଇ କୋଳିଅଠା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ଗୁଣୁପୁର ଅଞ୍ଚଳକୁ ଯାଇଥିଲେ। ସେଠାରେ ବିରୂପା ନଦୀରୁ ବେଆଇନ ବାଲିବୋଝେଇ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଟ୍ରାକ୍ଟର ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଜବତ ଗାଡ଼ିକୁ ଅନ୍ୟ ଏକ ଡ୍ରାଇଭର ଡକାଇ ଅଣାଯାଉଥିବା ବେଳେ ଗାଡ଼ି ମାଲିକ ଓ ତାଙ୍କ ସମ୍ପର୍କୀୟମାନେ ଗାଡ଼ି ଜାଳି ଦେବାର ବାହାନା କରି ତହସିଲ ଟିମ ଉପରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ହେମ୍ବ୍ରମଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯିବା ସହ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାହାଙ୍ଗା ପୋଲିସ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Share