ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଅସ୍ତରଙ୍ଗ,୧।୧୦(ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଅସ୍ତରଙ୍ଗ କାକଟପୁର ରାସ୍ତା ଉକୁଳେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ନାବାଳିକାଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଅସ୍ତରଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଅସ୍ତରଙ୍ଗରୁ ଉକୁଳେଇ ମନ୍ଦିର ଦର୍ଶନ ପାଇଁ ନିକଟସ୍ଥ ପଥରପକା ଗ୍ରାମର ବସନ୍ତ ନାୟକ ନାମକ ଜଣେ ବୃଦ୍ଧ ଦୁଇ ସମ୍ପର୍କୀୟ ଝିଆରୀଙ୍କୁ ନେଇ ଯାଉଥିଲେ। ଏହି ସମୟରେ ଅନ୍ୟ ପଟୁ କାକଟପୁରରୁ ବାଇକ୍‌ରେ ଆସୁଥିବା ଓଲିହାଁ ଗ୍ରାମର ମୋହନ ପାତ୍ର ଓ ପିଣ୍ଟୁ ବିଶ୍ୱାଳ ବସନ୍ତଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ବାଇକ ଚାଳକ ପିଣ୍ଟୁ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଦୁଇ ନାବାଳିକାଙ୍କ ସମେତ ଚାରିଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା। ମୃତ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ଦୁର୍ଘଟଣାରେ ଆହତ ମାନଙ୍କୁ ନେବା ପାଇଁ ଅସ୍ତରଙ୍ଗ ମେଡିକାଲରେ ଆମ୍ବୁଲାନ୍ସ ନ ଥିବା ଯୋଗୁ ଘରୋଇ ଗାଡ଼ିରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଆହତ ମାନେ ମେଡିକାଲ ପରିସରରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଦୁର୍ଘଟଣା ଘଟିଥିବା ରାସ୍ତାରେ ଗତ ୭ ମାସ ଭିତରେ ପ୍ରାୟ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି। କାକଟପୁର ଅସ୍ତରଙ୍ଗ ମଧ୍ୟରେ ଗୋଟିଏ ବି ହମ୍ପସ ନ ଥିବାରୁ ଯୁବ ପିଢ଼ିମାନେ ଦ୍ରୁତଗତିରେ ଗାଡି ଚଳାଉଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି। ଏବେ ଏହି ଅଞ୍ଚଳଟି ଏକ ଡେଞ୍ଜର ଜୋନ ଭାବେ ପରିଗଣିତ ହୋଇଛି। ଅପରପକ୍ଷରେ ଧଳାଜହର ସେବନ ଏବଂ ଅବାଧ ନିଶା କାରବାର ଏହାର ଅନ୍ୟ ଏକ କାରଣ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ଆଜି ଦୁର୍ଘଟଣା ପାଇଁ ଜିଉଁନ୍ତି ଛକ ଏବଂ ଉକୁଳେଇ ଛକରେ ହମ୍ପସ ନିର୍ମାଣ ଦାବି କରି ସ୍ଥାନୀୟ ଲୋକମାନେ ଦୀର୍ଘ ସମୟ ଧରି କାକଟପୁର ଅସ୍ତରଙ୍ଗ ମୁଖ୍ୟ ରାସ୍ତାର ଉକୁଳେଇ ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ଖବର ପାଇ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରେ ରାସ୍ତା ଅବରୋଧ ହଟିଥିଲା।

Share