ବଳି ପାଇଁ ପୁଅକୁ ହତ୍ୟା ଅଭିଯୋଗ ଆଣିଲେ ବାପା

କେନ୍ଦୁଝର,୧୩ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡ଼ଙ୍କ ୮ବର୍ଷର ପୁଅ ଫକୀର ମହାକୁଡ଼ ନିଖୋଜ ପୁଅର ମୃତଦେହ ଗତ ବୁଧବାର ଜବତ ହୋଇଥିଲା। ଆଜି ଜିଲା ମୁଖ୍ୟ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ଅଦ୍ୟାବଧି ପୋଲିସ ଘଟଣାର କାରଣ ଖୋଜି ପାଇ ପାରି ନ ଥିବାବେଳେ ତାଙ୍କ ବାପା ରଙ୍ଗାଧର ମହାକୁଡ଼ ପୁଅକୁ ବଳି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ପ୍ରକାଶ ଯେ, ଫକୀର ଗତ ୯ ତାରିଖରେ ତାଙ୍କ ଘରୁ ହଠାତ୍‌ ନିଖୋଜ ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ୧୧ ତାରିଖରେ ତାଙ୍କ ବାପା କାଞ୍ଜିପାଣି ଥାନାରେ ଏତଲା ଦେଇଥିଲେ। ୧୨ ତାରିଖ ମଧ୍ୟାହ୍ନରେ  ମୃତଦେହ ଠାବ ହୋଇଥିଲା। ପରେ ପରିବାର ନାବାଳକଙ୍କ ଗଳିତ ମୃତଦେହ ଚିହ୍ନଟ କରିଥିଲେ। ଗୁରୁବାର ବ୍ୟବଚ୍ଛେଦ କରାଯାଇଛି। ଗାଁର ୨ ଜଣ ଲୋକ ଛେଳି ଚରାଇବାକୁ ଯାଇଥିବା ବେଳେ ବିଲରେ ମୃତଦେଖି ଦେଖି ଘର ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ କରଙ୍ଗାଡିହି ସରପଞ୍ଚ ବରୁଣ ଦେହୁରୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

Share