Categories: ଜାତୀୟ

ହାଜତରେ ବାପ-ପୁଅଙ୍କ ମୃତ୍ୟୁ

ତୁତିକୋରିନ୍‌ (ତାମିଲନାଡ଼ୁ), ୨୫ା୬: ତାମିଲନାଡ଼ୁର ସଥନକୁଲମ୍‌ ପୋଲିସଷ୍ଟେଶନରେ ବାପା-ପୁଅଙ୍କ ହାତଜ ମୃତ୍ୟୁକୁ ନେଇ ପରିସ୍ଥିତି ସରଗରମ୍‌ ହୋଇପଡ଼ିଛି। ଏହାକୁ ବିରୋଧ କରି ବୁଧବାର ଜିଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାଡ୍ରାସ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ ପକ୍ଷରୁ ଏନେଇ ରିପୋର୍ଟ ତଲବ କରାଯାଇଛି। ଜୁଲାଇ ୨୬ ସୁଦ୍ଧା ଏ ସମ୍ପର୍କୀତ ରିପୋର୍ଟ ଦାଖଲ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପ୍ରଶାସନ ପକ୍ଷରୁ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ପୋଲିସ ହାଜରେ ପ୍ରାଣ ହରାଇଥିବା ବାପା-ପୁଅ ହେଲେ ପି. ଜୟରାଜ ଓ ଜେ. ଫେନିକ୍ସ। ଲକ୍‌ଡାଉନ୍‌ ବେଳେ ଏହି ଦୁଇ ବ୍ୟବସାୟୀ ମୋବାଇଲ ଦୋକାନ ଖୋଲିଥିବାରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା। ଦୁହିଙ୍କୁ ହାଜରେ ରଖି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରାଯାଇଥିଲା। ସବ୍‌ଜେଲରେ ଫେନିକ୍ସ ରକ୍ତାକ୍ତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କୋଭପଟ୍ଟି ହସ୍ପିଟାଲକୁ ନିଆଯାଇଥିଲା। ସୋମବାର ତାଙ୍କର ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ତାଙ୍କ ବାପାଙ୍କ ପ୍ରାଣ ଚାଲିଯାଇଥିଲା। ୨ ପୋଲିସ ଏସ୍‌ଆଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁକରିବା ଲାଗି ପରିବାର ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି। ଏହି ଘଟଣାକୁ ନେଇ ଡିଏମ୍‌କେ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ସହଯୋଗ କରନ୍ତୁ ବୋଲି ଏମ୍‌ପି କାନିମୋଝୀ ଦାବି କରିଛନ୍ତି।

Share