କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାରଡ଼ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଘଟଗାଁ ଥାନା ଅଧୀନ ବାରିଗାଁ ଗ୍ରାମର କାଣ୍ଡେ ମୁଣ୍ଡା(୫୭) ଏବଂ ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡା(୩୫)। ଏକ ସ୍କୁଟି ରେ ବାପପୁଅ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଯାଉଥିଲେ। ହେଲେ ପିପିଳିଆ ଛକରେ କେନ୍ଦୁଝରରୁ ଆସୁଥିବା ଏକ ଲୁହାରଡ଼ ବୋଝେଇ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପପୁଅଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।
ଅନ୍ୟପଟେ ଦୁର୍ଘଟଣାରେ ବାପପୁଅଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ କାଣ୍ଡେଙ୍କ ଭାଇ ସମରା ମୁଣ୍ଡାଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ପରିବାର ଲୋକ ଏଭଳି ଘଟଣାକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।