Categories: ଜାତୀୟ

ମିଥ୍ୟା ଝିଅ ହତ୍ୟା ଅପରାଧରେ ବାପ-ପୁଅ ୭ ମାସ ଜେଲ୍‌ରେ: ଜୀବିତ ଝିଅ କୋର୍ଟରେ ହାଜର

ଅମରୋହା, ୮।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରାଧୀ ପୋଲିସଙ୍କୁ ଖାତିର କରୁ ନାହାଁନ୍ତି। ଅପରପକ୍ଷରେ କେତେକ ଘଟଣାରେ ଠିକ୍‌ ଭାବେ ତଦନ୍ତ କରାଯାଉ ନ ଥିବାରୁ ନିରୀହ ଲୋକେ ଜେଲ ଦଣ୍ଡ ଭୋଗୁଥିବା ଅଭିଯୋଗ ହେଉଛି। ଜୀବିତ ଥିବା ଲୋକଙ୍କୁ ମୃତ ଦର୍ଶାଯାଉଛି। ଫଳରେ ମିଥ୍ୟା ଅଭିଯୋଗରେ ଲୋକେ ଜେଲ ଦଣ୍ଡ ଭୋଗୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଅମରୋହା ଜିଲାରେ ଘଟିଛି। ସ୍ଥାନୀୟ ଗଜରୋଲା ଅଞ୍ଚଳର ସୁଲତାନପୁର ଗାଁର ରେ ୨୦୧୯ ଫେବୃୟାରୀ ୬ରେ ଚାଷୀ ସୁରେଶ ସିଂଙ୍କ ୧୯ ବର୍ଷ ବୟସ୍କା ଝିଅ କମଳେଶ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପଡ଼ୋଶୀମାନଙ୍କ ଅଭିଯୋଗ ଆଧାରରେ କମଳେଶଙ୍କ ପିତା ସୁରେଶ ଏବଂ ଭାଇ ରୂପକିଶୋରଙ୍କୁ ପୋଲିସ ଗିରଫ କରିଥିଲା। ୨୦୧୯ ଡିସେମ୍ବର ୨୮ରେ ପିତା ପୁତ୍ରଙ୍କ ସହିତ ଅନ୍ୟ ଜଣେ ସମ୍ପର୍କୀୟ ଦେବେନ୍ଦ୍ରଙ୍କୁ ଜେଲ ପଠାଇ ଦିଆଯାଇଥିଲା। ଏବେ ସେମାନେ ଦୀର୍ଘ ୭ ମାସ ଧରି ମିଥ୍ୟା ଅଭିଯୋଗରେ ଜେଲ୍‌ରେ ରହିଛନ୍ତି। ଅଭିଯୁକ୍ତମାନେ କମଳେଶଙ୍କୁ ହତ୍ୟା କରି ନ ଥିବା କହିଥିଲେ ମଧ୍ୟ ତଦନ୍ତ କରୁଥିବା ପୋଲିସ ବାବୁ ସେମାନଙ୍କର କୌଣସି କଥା ଶୁଣି ନ ଥିଲେ। କମଳେଶଙ୍କର ଅନ୍ୟ ଜଣେ ଭାଇ ୨୦୨୦ ଅଗଷ୍ଟ ୬ରେ କୌଣସି କାମରେ ନିକଟସ୍ଥ ଗାଁ ପୋରାରାକୁ ଯାଇଥିଲେ। ଜଣଙ୍କର ଘର ସମ୍ମୁଖରେ ତାଙ୍କ ବାଇକ୍‌ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ସେ ସହାୟତା ପାଇଁ ଏପଟ ସେପଟ ହେଉଥିବାବେଳେ ଘରେ ତାଙ୍କ ଭଉଣୀ କମଳୋ ବସିଥିବା ଦେଖିଥିଲେ। ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କମଳେଶ ତାଙ୍କ ପ୍ରେମିକ ରାକେଶ ସୋନୀଙ୍କୁ ବିବାହ କରି ସେଠାରେ ରହିଥିତ୍ବା କହିଥିଲେ। ତାଙ୍କ ୧୩ ମାସର ପୁଅ ଥିବା ସେ ସୂଚନା ଦେଇଥିଲେ। ଏବେ ପ୍ରକୃତ ଘଟଣା ପଦାକୁ ଆସିବା ପରେ ତଦନ୍ତକାରୀ ପୋଲିସ ଇନସ୍ପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି। କମଳେଶ ଏବଂ ତାଙ୍କ ପ୍ରେମୀଙ୍କୁ ଗିରଫ କରାଯାଇଥିବା ପୋଲିସ ନିରୀକ୍ଷକ ଡ. ବିପିନ ତାଡ଼ା ସୂଚନା ଦେଇଛନ୍ତି। ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି। ତେବେ ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରୁ ପୋଲିସ ବିଭାଗର ନିଦ ହଜି ଯାଇଛି।

Share