Advertisement

ବାପ-ପୁଅଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୨୩ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ବୁଧବାର ଏକ ମାରପିଟ୍‌ ଘଟଣାର ଶୁଣାଣି କରି ସିଜେଏମ୍‌ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ହରମୋହନ ମହାନ୍ତ ଏବଂ ତାଙ୍କ ପୁଅ କାହ୍ନୁଚରଣ ମହାନ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୪ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଦଣ୍ଡାଦେଶ ହୋଇଛି।

ସୂଚନାଯୋଗ୍ୟ, ଘଟଗାଁ ଥାନା ଅନ୍ତର୍ଗତ ଶଗଡ଼ିଆ ଗ୍ରାମର ଅଭିଯୋଗକାରୀ ଦୀନବନ୍ଧୁ ମହାନ୍ତଙ୍କ ପୁଅ ରୋହିତ ମହାନ୍ତ ୧୬.୮.୨୦୧୬ ସନ୍ଧ୍ୟାରେ ହାଟରୁ ଫେରୁଥିବାବେଳେ ଅଭିଯୁକ୍ତ ହରମୋହନ ଓ ପୁଅ କାହ୍ନୁଚରଣ ତାଙ୍କ ଘର ସମ୍ମୁଖରେ ଅଟକାଇ ଠେଙ୍ଗାରେ ମରଣାନ୍ତ୍ରକ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ଘରକୁ ଘୋଷାଡ଼ି ଘୋଷାଡି ନେଇ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହି ସମୟରେ ରୋହିତଙ୍କ ପାଟି ଶୁଣି ତାଙ୍କ ମା’ ଲଳିତା  ମହାନ୍ତ ଉଦ୍ଧାର କରିବାକୁ ଆସିଥିଲେ। ତାଙ୍କୁ ମଧ୍ୟ ବାପ, ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ଆକ୍ରମଣରେ ଲଳିତାଙ୍କ ମୁଣ୍ଡ ପାଟିବା ସହ ଦାନ୍ତ ଭାଙ୍ଗିଯାଇଥିଲା। ପରେ ସ୍ତ୍ରୀ ଓ ପୁଅର ପାଟି ଶୁଣି ଦୀନବନ୍ଧୁ ଉଦ୍ଧାର କରିବାକୁ ଆସି ପୁଣି ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ୩ ଜଣ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଏ ନେଇ ଦୀନବନ୍ଧୁ ମହାନ୍ତ ଘଟଗାଁ ଥାନାରେ ଅଭିଯୋଗ ପରେ ପୋଲିସ କେସ୍‌ ନଂ ୧୨୯/୧୬ରେ ଏକ ମାମଲା ରୁଜୁ କରି ବାପ-ପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ଆଜି ଶୁଣାଣି ହୋଇ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି ରାୟ ପ୍ରକାଶ ପାଇଥିବା ସରକାରୀ ଓକିଲ ଅଶୋକ କୁମାର ଦାସ କହିଛନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share