୯ ବର୍ଷ ପରେ ମହାରାଷ୍ଟ୍ରରୁ ବାପା ଗିରଫ

କଟକ,୨।୭ (କାର୍ତ୍ତିକ ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ୧୦ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଶାନ୍ତ ସାହାଣୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ମୁରବାଦରୁ ଧରି ଶନିବାର ସନ୍ଧ୍ୟାରେ କଟକରେ ପହଞ୍ଚତ୍ଛି। ଅଭିଯୁକ୍ତଙ୍କୁ ଆନନ୍ଦପୁର ଏସ୍‌ଡିଜେଏମ୍‌ କୋର୍ଟରେ ରବିବାର ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଘରୋଇ କଳିରୁ ନିଜ ୩ ବର୍ଷର ଶିଶୁକନ୍ୟାକୁ ୨୦୧୩ ଅଗଷ୍ଟ ୧୮ରେ ବୈତରଣୀ ନଦୀକୁ ଫିଙ୍ଗି ହତ୍ୟା କରିଥିଲେ। ଏ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ପୂଜା ସାହାଣୀ ଆନନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୨୫/୨୦୧୩) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ପ୍ରଶାନ୍ତ ୨୦୧୦ରେ ପୂଜାଙ୍କୁ ବିବାହ କରିଥିଲେ। ପରେ ଦୁହେଁ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ରହୁଥିଲେ। ପ୍ରଶାନ୍ତ ସେଠାରେ ଏକ ଘରୋଇ କାରଖାନାରେ ଫାୟାରମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିଲେ। ଥାନେ ରହଣି ସମୟରେ ଉଭୟଙ୍କ ମଧ୍ୟରେ ଘରୋଇ କଳି ତୀବ୍ର ରୂପ ଧାରଣ କରିଥିଲା। ୨୦୧୧ରେ ପୂଜା ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ କେନ୍ଦୁଝର ଜିଲା ଫକୀରପୁରସ୍ଥିତ ଘରକୁ ଆସିଥିଲେ। ୨୦୧୩ ଅଗଷ୍ଟ ୧୮ରେ ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋର୍‌ରେ ବାକ୍‌ବିତଣ୍ଡା ଲାଗିଥିଲା। ପ୍ରଶାନ୍ତ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଝିଅକୁ ସାଇକେଲରେ ବସାଇ ନେଇ ବୈତରଣୀ ନଦୀ ଭିତରକୁ ଫିଙ୍ଗି ଦେଇଥିଲେ। ଏହାପରେ ସେ ଫେରାର ହୋଇଯାଇଥିଲେ। ଗିରଫଦାରିରୁ ବର୍ତ୍ତିବା ପାଇଁ ବିଭିନ୍ନ ଅଞ୍ଚଳ ଘୂରି ବୁଲିବା ସହ ବାରମ୍ବାର ନିଜର ମୋବାଇଲ ନମ୍ବର ବଦଳାଉଥିଲେ। ପ୍ରାଥମିକ ଅବସ୍ଥାରେ ଆନନ୍ଦପୁର ପୋଲିସ ଦ୍ୱାରା ଘଟଣାର ତଦନ୍ତ କରାଯାଉଥିଲା। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ନିଷ୍କ୍ରିୟତା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗକାରୀ ପୂଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପ୍ରାର୍ଥନା କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୨୦୧୪ ଅଗଷ୍ଟ ୨୮ରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ହାତକୁ ନେଇଥିଲା। କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦଳ ବିଳାସପୁର, ରାୟପୁର, ଥାନେ, କୋରେଗାଓଁ ଭୀମା, ସିକ୍ରାପୁର, ରଞ୍ଜନଗାଓଁ ଆଦି ସ୍ଥାନରେ ଚଢ଼ାଉ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଧରିବା ସମ୍ଭବ ହୋଇପାରୁ ନ ଥିଲା। ହେଲେ କ୍ରାଇମବ୍ରାଞ୍ଚର ଏକ ଦଳ ଗତ ୧୦ ବର୍ଷ ଧରି ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଅନବରତ ଟ୍ରାକିଂ ଚଳାଇଥିଲା। ତେବେ ମହାରାଷ୍ଟ୍ରର ମୁରବାଦଠାରେ ଅଭିଯୁକ୍ତ ରହିଥିବା ନେଇ ଏକ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଦଳ ଗତ ୨୮ ତାରିଖରେ କଟକରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିଥିଲା। ୨୯ ତାରିଖରେ ଅଭିଯୁକ୍ତଙ୍କୁ କାବୁ କରି କଟକ ଆଣିଥିଲା। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ମାରାଥନ ଜେରା ପରେ ଅଭିଯୁକ୍ତ ଜଣଙ୍କ ନିଜ ଦୋଷ ସ୍ବୀକାର କରିଥିବା ଜଣାଯାଇଛି।