ପୁଅର ଆତ୍ମା ନେବାକୁ ହାତରେ ଖଣ୍ଡାଧରି ହସ୍ପିଟାଲରେ ପହଞ୍ଚିଲେ ବାପା

ଯୋଧପୁର, ୨୨।୮: ଆଧୁନିକ ଯୁଗରେ ବେଳେବେଳେ ତନ୍ତ୍ରମନ୍ତ୍ର ଜାଲରେ କେତେକ ନିରୀହ ଲୋକ ପଡୁଥିବାର ଘଟଣା ନଜରକୁ ଆସିଥାଏ। ରାଜସ୍ଥାନର ଯୋଧପୁରରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ମଥୁରାଦାସ ମାଥୁର ହସ୍ପିଟାଲରେ ଦୁଇଜଣ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ହାତରେ ଖଣ୍ଡା ଧରି ବୁଲୁଥିଲେ। ସେମାନେ ହସ୍ପିଟାଲର ମହିଳା ଓ୍ବିଙ୍ଗ୍‌ ଆଡ଼କୁ ଯାଉଥିଲେ। ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ। ପଚରାଉଚରା କରାଯିବାରୁ ସେମାନେ ପୁଅର ଆତ୍ମା ନେବାକୁ ହସ୍ପିଟାଲ ଆସିଥିବା କହିଥିଲେ। ସେମାନେ ଆତ୍ମାନେବାକୁ ଜିଦ୍‌ ଧରିବା ସହିତ ହସ୍ପିଟାଲରେ ହଙ୍ଗାମା ଆରମ୍ଭ କରିଥିଲେ। ଦେଢ଼ ବର୍ଷ ତଳେ ଭମ୍ବର ଲାଲଙ୍କ ପୁଅଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ଘରେ ନାନା ପ୍ରକାର ଅଶାନ୍ତି ଦେଖାଦେଇଥିଲା। ସେମାନେ ଜଣେ ତାନ୍ତ୍ରିକଙ୍କର ଆଶ୍ରୟ ନେଇଥିଲେ। ତାନ୍ତ୍ରିକ ସେମାନଙ୍କୁ ପୁଅର ଆତ୍ମାର ଶାନ୍ତି ପାଇଁ ମୃତ୍ୟୁ ଘଟିଥିବା ହସ୍ପିଟାଲରେ ପୂଜା କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଭମ୍ବରଲାଲ ତାଙ୍କ ସମ୍ପର୍କୀୟ ଭୋପତଙ୍କୁ ଧରି ପୁଅର ଆତ୍ମା ନେବାକୁ ହସ୍ପିଟାଲରେ ପହଞ୍ଚିଥିଲେ। ସୁରକ୍ଷାକର୍ମୀ ଉଭୟଙ୍କୁ ଧରି ଶାସ୍ତ୍ରୀନଗର ଥାନା ଜିମାରେ ଦିଆଯାଇଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ଘଟଣାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share