ଭୋଗରାଇ, ୭l୧୨(ପ୍ରଦୀପ ଦାସ): ବିବାହିତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଜ୍ୱାଇଁ ଗୁରୁବାର ଗିରଫ ହୋଇଛନ୍ତି। ଏଭଳିସ୍ଥିତିରେ ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ତାଲାପଡ଼ିଥିବା ଜ୍ୱାଇଁଙ୍କ ଘର ସମ୍ମୁଖରେ ଝିଅର ଅନ୍ତିମ ସଂସ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇଁବସାଣ ପଞ୍ଚାୟତ ହରିପୁର ଗ୍ରାମରେ।
ଗୁରୁବାର ହରିପୁରର ସସ୍ମିତା ମାହାନା (୨୪) ମହିଳାଙ୍କୁ ତାଙ୍କ ସ୍ବାମୀ ରାମକୃଷ୍ଣ ମାହାନା ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଭୋଗରାଇ ଥାନାରେ ଏକ ମାମଲା(ନଂ. ୫୩୨/୨୪)ରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ରାମକୃଷ୍ଣଙ୍କୁ ଗିରଫ କରିଥିଲା। ସସ୍ମିତାଙ୍କ ମାତାପିତା ଓ ଆତ୍ମୀୟସ୍ବଜନମାନେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରାତି ଉଜାଗର ହୋଇ ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଇଥିଲେ। ପରେ ସସ୍ମିତାଙ୍କ ମୃତଦେହକୁ ସେଠାରୁ ଆଣି ଜ୍ୱାଇଁଙ୍କ ଘର ସମ୍ମୁଖରେ ଦାହ କରିଥିଲେ। ସସ୍ମିତାଙ୍କ ମା, ବାପା ଓ ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳି ସମଗ୍ର ପରିବେଶକୁ ଶୋକାକୁଳ କରିଥିଲା। ଅପରପକ୍ଷରେ ରାମକୃଷ୍ଣଙ୍କୁ ପୋଲିସ ଶୁକ୍ରବାର କୋର୍ଟଚାଲାଣ କରିଥିବାବେଳେ ଜାମିନ ନ ମିଳିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସସ୍ମିତାଙ୍କ ଶାଶୁ, ଶ୍ୱଶୁର ଫେରାର ହୋଇଯାଇଥିବା ସୂଚନା ମିଳିଛି।