ପାତ୍ରପୁର,୧୭ା୭(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସପଙ୍ଗ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ କରୋନା ସଂକ୍ରମଣ ହୋଇଥିବା ଖବର ଶୁଣି ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମଚନ୍ଦ୍ର ସାହୁ (୭୦)।
ରାମଚନ୍ଦ୍ରଙ୍କ ବଡପୁଅଙ୍କୁ ଜ୍ୱର ହେଉଥିବାରୁ କିଛିଦିନ ତଳେ ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଗୁରୁବାର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପାତ୍ରପୁର ପଞ୍ଚାୟତ କୋଭିଡ୍ କେୟାର ହୋମ୍ରେ ରଖାଯାଇଥିଲା। ଏହି ଖବର ଶୁଣି ଗୁରୁବାର ଠାରୁ ରାମଚନ୍ଦ୍ର ଚିନ୍ତିତ ରହୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା। ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସଙ୍ଗରୋଧରେ ଥିବା ରାମଚନ୍ଦ୍ରଙ୍କ ବଡ ପୁଅଙ୍କୁ ସାମାଜିକ ଦୂରତା ରଖି ମୁଖାଗ୍ନି ଦେବା ପାଇଁ ଛାଡିବାକୁ ପରିବାର ଲୋକେ ବିଡିଓ ପ୍ରକାଶ ଚନ୍ଦ୍ର ଦାସଙ୍କୁ ଅନୁରୋଧ କରିଛନ୍ତି।