Categories: ଜାତୀୟ

ମା’ଙ୍କ ସାଙ୍ଗିଆ ବ୍ୟବହାର କରିପାରିବ ଶିଶୁ

ନୂଆଦିଲ୍ଲୀ,୬ା୮: ମା’ଙ୍କ ଅନୁସାରେ ଉପନାମ ବା ସାଙ୍ଗିଆ ରଖିବା ଅଧିକାର ପ୍ରତ୍ୟେକ ଶିଶୁଙ୍କର ରହିଛି ବୋଲି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଜଣେ ନାବାଳିକାଙ୍କ ବାପା ହାଇକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ଏଥିରେ ସେ ଝିଅର ଦସ୍ତାବିଜଗୁଡ଼ିକରେ ମା’ଙ୍କ ପରିବର୍ତ୍ତେ ବାପାଙ୍କ ସାଙ୍ଗିଆ ବ୍ୟବହାର ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। ଜଷ୍ଟିସ୍‌ ରେଖା ପାଲ୍ଲୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଏପରି ନିର୍ଦ୍ଦେଶନାମା ଜାରି କରିବାକୁ ମନା କରିଦେଇଛନ୍ତି।

ହାଇକୋର୍ଟ କହିଛନ୍ତି, ଶିଶୁ ନିଜ ମା’ କିମ୍ବା ବାପା କାହା ନାମ ବ୍ୟବହାର କରିବେ ତାହା ତାଙ୍କ ଉପରେ ନିର୍ଭରକରେ। ଜଣେ ବାପା ଝିଅ ଉପରେ ନିଜ ସାଙ୍ଗିଆ ବ୍ୟବହାର ବୋଝ ଲଦି ଦେଇପାରିବେ ନାହିଁ। ନାବାଳିକା ଝିଅ ଯଦି ମା’ଙ୍କ ସାଙ୍ଗିଆ ବ୍ୟବହାର କରି ଖୁସିରେ ଅଛନ୍ତି ତେବେ ତୁମର ଅସୁବିଧା କ’ଣ ବୋଲି ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ। ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ, ଝିଅ ନାବାଳିକା ଥିବାରୁ ଏହି ପ୍ରସଙ୍ଗରେ ନିଜେ ନିଷ୍ପତ୍ତି ନେଇପାରିବେ ନାହିଁ। ପୂର୍ବରୁ ଝିଅଙ୍କ ନାମ ସହ ତାଙ୍କ ବାପାଙ୍କ ସାଙ୍ଗିଆ ରହିଥିଲା, ଯାହାକୁ ପରେ ଅଲଗା ରହୁଥିବା ମା’ ନିଜ ଇଚ୍ଛା ଅନୁସାରେ ବଦଳାଇଦେଇଛନ୍ତି। ତେବେ ଆବେଦନକାରୀଙ୍କ ପିଟିଶନକୁ ହାଇକୋର୍ଟ ଖାରଜ କରିଦେବା ସହ ଝିଅର ସ୍କୁଲକୁ ଯାଇ ବାପାଙ୍କ ନାମ ସ୍ଥାନରେ ନିଜ ନାଁ ଲେଖାଇପାରିବେ ବୋଲି କହିଛନ୍ତି।

Share