ନୂଆଦିଲ୍ଲୀ,୭।୪: ଆଜିକାଲି ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀଙ୍କୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୨୫ ବର୍ଷୀୟ ଯୁବ ଲେଗ ସ୍ପିନର ତାଙ୍କ ଡେବ୍ୟୁ ମ୍ୟାଚ୍ରେ ହିଁ କେଏଲ ରାହୁଲ, ଫାଫ ଡୁ ପ୍ଲେସିସ ଏବଂ ଜ୍ୟାକ ଫ୍ରେଜର ମ୍ୟାକଗର୍କଙ୍କ ଉଇକେଟ ନେଇ ହଇଚଇ ସୃଷ୍ଟି କରିଥିଲେ।
ସନରାଇଜର୍ସ ହାଇଦ୍ରାବାଦ ଜୀଶାନ ଅନସାରୀଙ୍କୁ ୪୦ ଲକ୍ଷ ଟଙ୍କାରେ କିଣିଛି। ଏହି ଲେଗ ସ୍ପିନରଙ୍କ ଜନ୍ମ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ହୋଇଥିଲା। ୟୁପି ଲିଗର ପ୍ରଥମ ସିଜିନରେ ଜୀଶାନ ସର୍ବାଧିକ ଉଇକେଟ ନେଇଥିଲେ। ସେ ଟୁର୍ନାମେଣ୍ଟରେ ୨୪ ଉଇକେଟ ନେଇଥିଲେ। ସେ ରିଷଭ ପନ୍ତଙ୍କ ସହ ଭାରତ ପାଇଁ ୧୯ ବର୍ଷରୁ କମ କ୍ରିକେଟ ମଧ୍ୟ ଖେଳିଛନ୍ତି।
ଜୀଶାନ ଏକ ସରଳ ପରିବାରରୁ ଆସିଛନ୍ତି। ତାଙ୍କ ପରିବାରରେ ମୋଟ ୧୯ ଜଣ ସଦସ୍ୟ ଅଛନ୍ତି। ଜୀଶାନଙ୍କ ବାପା ନଇମ ଅନସାରୀ ଲକ୍ଷ୍ନୌରେ ଏକ ସିଲେଇ ଦୋକାନ ଚଳାନ୍ତି। ୟୁପି ଲିଗରେ ତାଙ୍କର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ, ତାଙ୍କୁ ୟୁପି ପାଇଁ ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ସୁଯୋଗ ମିଳି ନ ଥିଲା। ଜୀଶାନଙ୍କୁ ଜଣେ ଉଇକେଟ ନେଉଥିବା ସ୍ପିନର୍ ଭାବରେ ବିବେଚନା କରାଯାଏ।
ଜୀଶାନ ଆଇପିଏଲ ଡେବ୍ୟୁ କରିବା ପୂର୍ବରୁ ତାଙ୍କ ରାଜ୍ୟ ପାଇଁ କେବଳ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି। ଜିଶାନ ୨୦୧୬ରେ ଅଣ୍ଡର-୧୯ ଖେଳିଥିଲେ। ସେ ୨୦୧୬ରେ ରିଷଭ ପନ୍ତ, ଇଶାନ କିଶନ ଏବଂ ସରଫରାଜ ଖାନଙ୍କ ସହ ଅଣ୍ଡର-୧୯ କ୍ରିକେଟ ଖେଳିଥିଲେ। ଜୀଶାନ ୟୁପି ପାଇଁ ୫ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୧୭ଟି ଉଇକେଟ ନେଇଛନ୍ତି।
ଜୀଶାନ ତାଙ୍କର ପ୍ରଥମ IPL ମ୍ୟାଚ୍ରେ ୩ ଉଇକେଟ ନେଇଥିଲେ। ଏହା ପରେ, ଜୀଶାନ ଦ୍ୱିତୀୟ ମ୍ୟାଚ୍ରେ ଗୋଟିଏ ଉଇକେଟ ନେଇଥିଲେ। ତୃତୀୟ ମ୍ୟାଚ୍ରେ ତାଙ୍କୁ କୌଣସି ସଫଳତା ମିଳି ନ ଥିଲା। ଅଧିନାୟକ ପ୍ୟାଟ କମିନ୍ସଙ୍କର ଜୀଶାନଙ୍କ ଉପରେ ବହୁତ ଭରସା ଅଛି। ଏପରିକି ଜୀଶାନଙ୍କୁ ଆଡାମ ଜାମ୍ପାଙ୍କ ପୂର୍ବରୁ ଖେଳିବାକୁ ପଠାଯାଉଛି।