Categories: ମେଟ୍ରୋ

ପୁଅକୁ କିଡ୍‌ନୀ ଦେଲେ ବାପା

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି ଏମ୍ସ ଭୁବନେଶ୍ୱର। ଏମ୍ସରେ ପ୍ରଥମ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଛି। ପିତା ଓ ପୁତ୍ରଙ୍କ ମଧ୍ୟରେ ଏହି କିଡ୍‌ନୀ ପ୍ରତିରୋପଣ ହୋଇଥିଲା। ଅସୁସ୍ଥ ପୁଅକୁ ପିତା ନିଜ କିଡ୍‌ନୀ ଦାନ କରିଥିଲେ। ପ୍ରତିରୋପଣ ପରେ ଉଭୟ ପିତା ଓ ପୁତ୍ର ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। କିଡ୍‌ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ସେହିପରି କିଡ୍‌ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସ୍‌ଚାର୍ଜ କରାଯାଇଛି। ଏହାପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ୱାସ ଖୁସିବ୍ୟକ୍ତ କରିବା ସହିତ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡ୍‌ନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍‌ କିଡ୍‌ନୀ ରୋଗ(ସିକେଡି) ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ପୂର୍ବ ଭାରତରେ ବୃକକ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧି ପାଉଛି। ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ। କିନ୍ତୁ ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ଡା. ବିଶ୍ୱାସ କହିଛନ୍ତି। ଏଥିସହିତ ଖୁବ୍‌ଶୀଘ୍ର ଏମ୍ସ ଭୁବନେଶ୍ୱରରେ ଯକୃତ ଏବଂ ଅସ୍ଥିମଜ୍ଜା ପ୍ରତିରୋପଣ ଆରମ୍ଭ ହେବ ଏବଂ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ନେଫ୍ରୋଲୋଜି ବିଭାଗର ଡା. ସନ୍ଦୀପ ପଣ୍ଡା କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁରୋଲୋଜି ବିଭାଗ ମୁଖ୍ୟ ଡା. ପ୍ରଶାନ୍ତ ନାୟକ, ଡା. ମନୋଜ ଦାସ, ଡା. ସ୍ବର୍ଣ୍ଣେନ୍ଦୁ ମଣ୍ଡଳ, ଡା. ସମ୍ବିତ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ। ପିଜିଆଇଏମ୍‌ଆର୍‌ ଚଣ୍ଡିଗଡ଼ର ପ୍ରଫେସର ଦୀପେଶ ବୋମିନ କେନୱାର ଏମ୍ସରେ ହୋଇଥିବା କିଡ୍‌ନୀ ପ୍ରତିରୋପଣରେ ପରାମର୍ଶ ଦେବା ନିମନ୍ତେ ଉପସ୍ଥିତ ଥିଲେ।

Share