ରାୟଗଡ଼, ୧୬।୮: ଛତିଶଗଡ଼ ରାୟଗଡ଼ ଜିଲାରେ ଜଣେ ବାପା ତାଙ୍କର ୩ ପିଲାଙ୍କ ସହ ନଦୀକୁ ଡେଇଁ ପଡ଼ିଛନ୍ତି। ଏହି ଘଟଣାରେ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି। ଜିଲା ପୋଲିସ ଅଧୀକ୍ଷକ ସନ୍ତୋଷ ସିଂ କହିଛନ୍ତି, ଜିଲାର ଝାର୍କ ଅଞ୍ଚଳସ୍ଥିତ ସାଉଥ୍ ଇଷ୍ଟର୍ନ କୋଲ୍ଡଫିଲ୍ଡ ଲିମିଟେଡର ବିଦ୍ୟୁତ ବିଭାଗର ଶ୍ରମିକ କାର୍ତ୍ତିକେଶ୍ୱର ରାଥିଆ (୩୮ ବର୍ଷ) ରବିବାର ସକାଳେ ନିଜର ୩ ପିଲାଙ୍କ ସହ ବାଇକରେ ଇଡୁ ଗ୍ରାମରୁ ବାରାଗ୍ରାମକୁ ଯାଉଥିଲେ। କିନ୍ତୁ ହଠାତ୍ ଇଡୁଗ୍ରାମସ୍ଥିତ ଏକ ବ୍ରିଜ ଉପରେ ବାଇକ ରଖି ତାଙ୍କର ୩ ସନ୍ତାନ କ୍ଷୀରସାଗର (୫ ବର୍ଷ), ନର୍ମଦା (୩ ବର୍ଷ) ଓ ତେଜ ପ୍ରକାଶ (୭ ମାସ) ସହ ପୋଲ ଉପରୁ ନଦୀଗର୍ଭକୁ ଡେଇଁ ପଡ଼ିଥିଲେ। କାର୍ତ୍ତିକେଶ୍ୱରଙ୍କ ମାନସିକ ଅବସ୍ଥା ଭଲ ନ ଥିଲା। ପାରିବାରିକ କହଳ ଯୋଗୁ ସେ ଅଧିକାଂଶ ସମୟ ଚାପରେ ରହୁଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।