ବାଲିକୁଦା,୨୪ା୧୨(ତାପସ ସ୍ବାଇଁ)ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ରାହାଣ ପଞ୍ଚାୟତ ଅନ୍ତର୍ଗତ କୋଷିଦା ମଠର ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ବାନାମ୍ବର ଦାସ (ବାନା)ଙ୍କୁ ପୋଲିସ ଶୁକ୍ରବାରଠାରୁ ଅଟକ ରଖିଥିବା ବେଳେ ଶନିବାର କୋର୍ଟ ଚାଲାଣ କରିଛି। ମୃତ ବାବାଙ୍କ ସ୍ତ୍ରୀ ଶାନ୍ତିଲତା ଦାସଙ୍କ ଲିଖିତ ଅଭିଯୋଗ ପରେ ଥାନାରେ ମାମଲା (ନଂ.୫୬୯/୨୩) ରୁଜୁ ହୋଇଛି। ବାନାମ୍ବରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆଳିପିଙ୍ଗଳ ଉପକାରାଗାରକୁ ପଠାଇ ଦିଆଯାଇଛି। ଶନିବାର ବାବାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗଁାକୁ ଅଣାଯାଇ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଘୁଷୁରି ବାଡ଼ିରେ ପଶିବାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ କରିଥିବା ବାନାମ୍ବର କହିଛନ୍ତି। ତାଙ୍କ କହିବାନୁଯାୟୀ, ମଠରେ ବାବା ପୂର୍ବରୁ ହୁକୁମ କରୁଥିବାବେଳେ ଏବେ ତାହାକୁ ଅନ୍ଧବିଶ୍ୱାସ ଭାବି ଲୋକେ ଆଉ ସେଠାକୁ ପୂର୍ବଭଳି ଆସୁନାହାନ୍ତି। ତେବେ କେତେଜଣ କିଛି କାମ ପାଇଁ ବେଳେବେଳେ ବାବାଙ୍କ ପାଖକୁ ଆସୁଥିଲେ। ଏମାନଙ୍କ ମଧ୍ୟରେ ଅଭିଯୁକ୍ତ ବାନାମ୍ବର ଥିଲେ। କାରଣ ସ୍ତ୍ରୀ ତାଙ୍କୁ ଛାଡ଼ି ପଳେଇଥିଲେ। ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ସକାଶେ ବାବା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ବାବା ଏକ ଡେଉଁରିଆ ବାନାମ୍ବରଙ୍କୁ ଦେବା ସହ କିଛି ଟଙ୍କା ନେଇଥିଲେ। ହେଲେ କାମ ନ ହେବାରୁ ଟଙ୍କା ଫେରାଇବା ପାଇଁ ବାନାମ୍ବର କହିଥିଲେ। ସେଥିପାଇଁ ପୂର୍ବରୁ ଉଭୟଙ୍କ ମଧ୍ୟରେ ଅନେକଥର ଯୁକ୍ତିତର୍କ ହୋଇଛି। ଏଭଳି ସ୍ଥିତିରେ ଘୁଷୁରି ପୂରାଇବାକୁ ନେଇ ବାବାଙ୍କଠାରୁ ବାନାମ୍ବର ଶୁକ୍ରବାର ଗାଳି ଶୁଣିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।