Categories: ଜାତୀୟ

ନିରୀହ ଝିଅପୁଅଙ୍କ ଜୀବନ ନେଲେ ନୃଶଂସ ବାପା

ରାଜକୋଟ,୯।୩: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକେ ବୀଭତ୍ସ କାଣ୍ଡ ଘଟାଉଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ରାଜକୋଟରେ ଦେଖିବାକୁ ମିଳିଛି। ଏଠାରେ ଜଣେ ନେପାଳୀ ଓ୍ବାଚ୍‌ମ୍ୟାନ୍‌ ନିଜର ପତ୍ନୀ, ପୁଅ ଏବଂ ଝିଅଙ୍କୁ ଅତି ନିର୍ମମ ଭାବେ ଛୁରୀରେ ଆକ୍ରମଣ କରିଛନ୍ତି। ଏଥିରେ ଝିଅପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ସହରର ଇନ୍ଦିରା ସର୍କଲ ନିକଟ ଅଜନ୍ତା ଆପାର୍ଟମେଣ୍ଟରେ ଓ୍ବାଚ୍‌ମ୍ୟାନ୍‌ ଭାବେ କାମ କରୁଥିବା ଏବଂ ରହୁଥିବା ଜଣେ ନେପାଳୀ ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ତାଙ୍କ ନାମ ପ୍ରେମ ସାହୁ। ଅନ୍ଧବିଶ୍ୱାସ କାରଣରୁ ସେ ନିଜ ପତ୍ନୀ ବାସନ୍ତୀ ସାହୁ(୨୫), ପୁଅ ନିୟତ ସାହୁ(୪) ଏବଂ ଝିଅ ଲକ୍ଷ୍ମୀ ସାହୁ(୩ ମାସ)ଙ୍କୁ ଗୁରୁବାର ସକାଳୁ ଛୁରୀରେ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ଲାଗି ସିଭିଲ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିବା ବେଳେ ପରେ ପୁଅ ମଧ୍ୟ ଆଖି ବୁଜିଥିଲେ।

ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ପ୍ରେମ ଗତ ୫ ବର୍ଷ ଧରି ରାଜକୋଟରେ ରହୁଥିଲେ। ମାତାଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସମସ୍ତଙ୍କୁ ହତ୍ୟା କରିବାକୁ ପଡ଼ିବ ବୋଲି ସେ ପତ୍ନୀଙ୍କୁ କହିଥିଲେ। ତାଙ୍କ ଆକ୍ରମଣରେ ଝିଅପୁଅ ଆଖି ବୁଜିଥିଲେ। ଏବେ ବାସନ୍ତୀ ଚିକିତ୍ସାଧୀନ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Share