ବିକଳାଙ୍ଗ ଝିଅ ପାଇଁ ବାପା ତିଆରି କଲେ ରୋବୋ

ସବୁ ପିଲାଙ୍କ ପାଇଁ ତାଙ୍କ ବାପା ସୁପର୍‌ହିରୋ। ବାପା ଥିଲେ ପିଲାଙ୍କୁ କୌଣସି ସମସ୍ୟା ଡରାଇପାରେନା କି ଭାଙ୍ଗିପାରେନା। ଏଇ ଯେମିତି ଦକ୍ଷିଣ ଗୋଆର ପୋଣ୍ଡା ତାଲୁକାସ୍ଥ ବେଥୋର ଗାଁର ବିପିନ କଦମ। ସେ ଜଣେ ଦିନ ମଜୁରୀଆ। ବିପିନଙ୍କର ୧୪ ବର୍ଷର ଏକ ଭିନ୍ନକ୍ଷମ ଝିଅ ଅଛି। ଯେକି ନିଜେ ଖାଇପାରନ୍ତି ନାହିଁ। ଏମିତିକି ହଲଚଲ ବି ହୋଇପାରନ୍ତି ନାହିଁ। ତେଣୁ ସେ ପୁରାପୁରି ମା’ଙ୍କ ଉପରେ ନିର୍ଭରଶୀଳ ଥିଲେ। ବିପିନଙ୍କ ସ୍ତ୍ରୀ ତାଙ୍କୁ ଖୁଆଇ ଦେଉଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯେ, ବିପିନଙ୍କ ସ୍ତ୍ରୀ ଏକ ରୋଗରେ ଶଯ୍ୟାଶୟୀ ହୋଇପଡ଼ିଲେ। ଫଳରେ ବିପିନ ନାନା ସମସ୍ୟାର ସମ୍ମୁଖୀନ ହେଲେ। ଆଉ ଝିଅକୁ ଖୁଆଇବା ଲାଗି କାମରୁ ମଝିରେ ବାଧ୍ୟ ହେଉଥିଲେ ଆସିବାକୁ। ଏଭଳି ସମସ୍ୟା ପାଇଁ ସେ ଦିନେ ଚିନ୍ତା କଲେ ଏମିତି କିଛି କରିବେ ଯଦ୍ୱାରା ତାଙ୍କ ଝିଅ ବିନା କାହାରି ସାହାଯ୍ୟରେ ଖାଇପାରିବ। ଆଉ ଏକ ରୋବୋ କିଣିବା ପାଇଁ ଭାବିଲେ। ହେଲେ ସେମିତି କିଛି ସେ ପାଇଲେ ନାହିଁ। ତେଣୁ ନିଷ୍ପତ୍ତି ନେଲେ ନିଜେ ଏକ ରୋବୋ ତିଆରି କରିବେ। ଇଣ୍ଟରନେଟ୍‌ରୁ ରୋବୋ ତିଆରି ସମ୍ପର୍କିତ ଅନେକ ଭିଡ଼ିଓ ଦେଖିଲେ। ଆଉ ଚାରି ମାସର ଗବେଷଣା ପରେ ସେ ନିଜେ ଏକ ରୋବୋ ତିଆରି କଲେ। ଯାହାର ନାଁ ଦେଲେ ‘ମାଁ ରୋବୋ’। ଏହା ଭଏସ୍‌ କମାଣ୍ଡ ଦ୍ୱାରା ଝିଅକୁ ଖୁଆଇଥାଏ। ଏବେ ଝିଅ ଖାଇବାରେ କିଛି ଅସୁବିଧା ହେଉ ନାହିଁ। ଆଉ ଝିଅର ହସଖୁସିର ଚେହେରା ଦେଖି ସେ ଖୁସି ହେଉଛନ୍ତି। ଗୋଆର ଷ୍ଟେଟ ଇନୋଭେସନ କାଉନ୍ସିଲ ବିପିନଙ୍କର ଏହି କାମକୁ ପ୍ରଂଶସା କରିବା ସହ ରୋବୋକୁ ଆହୁରି ଅଧିକ କାର୍ଯ୍ୟକ୍ଷମ କରିବା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେଉଛି।