Categories: ଜାତୀୟ

ଝିଅ ପ୍ରେମ ବିବାହ କରିବାରୁ ନର୍ମଦାରେ ବୁଡ଼ାଇବା ସହ ଲଣ୍ଡା କଲେ ପିତା, ଆଉ ତା’ ପରେ…

ଭୋପାଳ,୩୧ା୧୦: ଜଣେ ଯୁବତୀ ଅନ୍ୟଜାତିର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ଯୁବତୀଙ୍କ ପିତା ଶୁଦ୍ଧିକରଣ ପାଇଁ ନର୍ମଦା ନଦୀରେ ବୁଡ଼ାଇବା ସହ ଲଣ୍ଡା କରିଦେଇଛନ୍ତି। ଏପରି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲ ଜିଲାରେ।

ଅନର କିଲିଂକୁ ଡରି ଏହି ପ୍ରେମୀଯୁଗଳ ପୋଲିସର ସୁରକ୍ଷା ମାଗିଛନ୍ତି। ଚୋପନା ଥାନା ଅଞ୍ଚଳର ସାକ୍ଷୀ ଯାଦବ ବୈତୁଲର ଅମିତ ଅହିରବାର ନାମକ ଜଣେ ଯୁବକଙ୍କୁ ଗତବର୍ଷ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ। ୨୪ ବର୍ଷୀୟା ସାକ୍ଷୀ କୁହନ୍ତି, ୨୦୨୦ ମାର୍ଚ୍ଚ ୧୧ରେ ସେ ଦଳିତ ଯୁବକ ଅମିତଙ୍କୁ ବିବାହ କରିଥିଲେ। ତାଙ୍କ ପିତା ଏହି ବିବାହରେ ରାଜି ନ ଥିଲେ। ସେ ପୋଲିସ ନେଇ ତାଙ୍କୁ ଘରକୁ ଆଣିଥିଲେ। ପରେ ରାଜଗଡ଼ ପଢ଼ିବା ପାଇଁ ପଠାଇ ଦେଇଥିଲେ। ସେ ହଷ୍ଟେଲରେ ରହୁଥିବା ବେଳେ ଚଳିତମାସ ୨୮ ତାରିଖରେ ହଷ୍ଟେଲରୁ ଲୁଚି ତାଙ୍କ ପ୍ରେମିକ ତଥା ସ୍ବାମୀଙ୍କ ନିକଟକୁ ଚାଲିଯାଇଛନ୍ତି।

ସାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପିତା ତାଙ୍କୁ ନର୍ମଦା ନଦୀରେ ବୁଡ଼ାଇବା ସହ ୪ ଲୋକଙ୍କ ଉପସ୍ଥିତିରେ ଲଣ୍ଡା କରିଥିଲେ। ସେ ଭିନ୍ନ ଜାତିରେ ବାହା ହୋଇଥିବାରୁ ଶୁଦ୍ଧିକରଣ ପାଇଁ ତାଙ୍କ ପିତା ଏପରି କରିଛନ୍ତି। ତାଙ୍କ ପିତା ଚାହୁଁଛନ୍ତି, ଅମିତଙ୍କୁ ବିବାହ ନ କରି ନିଜ ଜାତିରେ ବିବାହ କରନ୍ତୁ। ମାତ୍ର ସାକ୍ଷୀ ଅମିତଙ୍କୁ ଛାଡ଼ି ବଞ୍ଚିପାରିବେ ନାହିଁ ବୋଲି ପୋଲିସ ଆଗରେ କହିଛନ୍ତି। ଅନ୍ୟପକ୍ଷରେ ସେ ଅମିତଙ୍କୁ  ବିବାହ କରିବା ପରଠାରୁ ତାଙ୍କ ଘର ଲୋକ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ତେଣୁ ସେ ପୋଲିସର ସୁରକ୍ଷା ମାଗିଛନ୍ତି।

Share