ମରଣମୁହଁରୁ ପୁଅକୁ ଛଡାଇ ଆଣିଲେ ବାପା

ଦେବଗଡ଼, ୨୧।୧୧(ଶଶାଙ୍କ ଶେଖର ଝାଙ୍କର): ପୁଅକୁ ମରଣମୁହଁରୁ ଛଡାଇ ଆଣିଛନ୍ତି ବାପା। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ ବମ୍ପରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ କାଶିନାଥ ବେହେରାଙ୍କ ପୁଅ ନିଖିଳ ବେହେରା(୧୮) ଶୁକ୍ରବାର ପୂର୍ବାହ୍ନରେ ଘରୁ ବାହାରି କେଉଁଆଡେ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୧ଟାରେ ୨ ଜଣ ସାଙ୍ଗ ଏକ ବାଇକରେ ଆଣି ତାଙ୍କୁ ଘରେ ଛାଡିଥିଲେ । ଏହି ସମୟରେ ନିଖିଳଙ୍କ ପିତା କାଶିନାଥ ଘର ବାରଣ୍ଡାରେ ଥିବା ବେଳେ ଘରର ଅନ୍ୟ ସଦସ୍ୟ ଅନୁପସ୍ଥିତ ଥିଲେ ।

କିଛି ସମୟ ପରେ ନିଖିଳ ଘରର ଏକ କୋଠରିରେ ହଠାତ୍‌ ପଶିଯାଇ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ । ଏହାର କିଛି ସମୟ ପରେ ଘର ମଧ୍ୟରୁ ଅସ୍ବଭାବିକ ଶବ୍ଦ ଶୁଭିବାରୁ ବାରଣ୍ଡାରେ ଥିବା କାଶିନାଥ ନିଖିଲଙ୍କୁ ଡାକ ପକାଇବା ସହ କ’ଣ ହେଲା ବୋଲି ପଚାରିଥିଲେ। ହେଲେ କୌଣସି ଉତ୍ତର ମିଳି ନ ଥିଲା। କାଶିନାଥ ଝରକା (ଇଟାରେ ବନ୍ଦ କରାଯାଇଥିବା ଝରକା)ପଟୁ ଦେଖିବାରୁ ନିଖିଳ କୋଠରିରେ ଲାଗିଥିବା ସିଲିଂ ପଙ୍ଖାରେ ଏକ କପଡା ସାହାଯ୍ୟରେ ଫାଶି ଦେଇ ଓହଳି ପଡିଥିବା ଦେଖିବାକୁ ପାଇଥିଲେ।

ଫଳରେ କାଶିନାଥ ଝରକାରୁ ଇଟା ହଟାଇ କୋଠରି ଭିତରେ ପଶିବା ସହ ନିଖିଳଙ୍କ ବେକରୁ କପଡା ଖୋଲି ଦେଇଥିଲେ। ଏଥିସହ ପାଖ ପଡୋଶୀଙ୍କୁ ଡାକପକାଇ ସେମାନଙ୍କ ସହାୟତାରେ ନିଖିଲଙ୍କୁ ନିକଟସ୍ଥ ବମ୍ପରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ଗୁରୁତର ଅବସ୍ଥାରେ ସେଠାରେ ଚିକିତ୍ସାଧିନ ଥିବା ଜଣାପଡିଛି। ନିଖିଳଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ।