୧୧ ମାସର ଶିଶୁକନ୍ୟା ବିଶାଖାପାଟଣାରୁ ଉଦ୍ଧାର

ପୁରୀ, ୨୨।୧୦ (ଅଜିତ୍‌ ମହାନ୍ତି)୧୧ ମାସର ଶିଶୁକନ୍ୟାକୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି। ସମୁଦ୍ରକୂଳ ଥାନା ଅନ୍ତର୍ଗତ ଧୋବାଖାଲ ବସ୍ତିରେ ଏପରି ଘଟଣା ଘଟିଛି। ପୋଲିସ ବିଶାଖାପାଟଣାରୁ ଝିଅକୁ ଉଦ୍ଧାର କରିଛି। ଏହି ଘଟଣାରେ ବାପା, ମଧ୍ୟସ୍ଥ ଓ କିଣିଥିବା ଲୋକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଧୋବାଖାଲର ଏମ୍‌. ନରସିଂହଙ୍କ ସ୍ତ୍ରୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ନରସିଂହ ନିୟମିତ ଭାବେ ପନତ୍ୀ ଏମ୍‌. ପୂଜାଙ୍କୁ ଶାରୀରିକ ନିର୍ଯାତନା ଦେଇଥାନ୍ତି। ୧୧ ମାସର ଝିଅ ପାଇଁ ଜଣେ ବ୍ୟକ୍ତିଙ୍କୁ ସେ ୮୦ ହଜାର ଟଙ୍କାରେ ବିକ୍ରି କରିଥିବା ସ୍ତ୍ରୀ ଅଭିଯୋଗ କରିଥିଲେ। ଗତ ୧୭ ତାରିଖ ପୂର୍ବାହ୍ନରେ ନରସିଂହ ଝିଅକୁ ନେଇ ପେଣ୍ଠକଟା ବଜାରକୁ ଯାଇଥିଲେ। ସନ୍ଧ୍ୟାରେ ଏକାକୀ ଘରକୁ ଫେରିଥିଲେ। ଝିଅ କୁଆଡ଼େ ଗଲା ବୋଲି ପଚାରିବାରୁ ତାକୁ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ପୂଜାଙ୍କୁ କହିଥିଲେ ନରସିଂହ। ପ୍ରତିବାଦ କରିବାରୁ ପୂଜାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି। ପେଣ୍ଠକଟା ଅଞ୍ଚଳରେ ବହୁ ସ୍ଥାନରେ ଖୋଜାଖୋଜି କରି ଶେଷରେ ଗୁରୁବାର ଏତଲା ଦେଇଥିଲେ ପୂଜା। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଟିମ୍‌ ଶିଶୁକୁ ବିଶାଖାପାଟଣାରୁ ଉଦ୍ଧାର କରିଛନ୍ତି। ଅନ୍ୟପକ୍ଷରେ ଗତ ୩ ମାସ ତଳେ ବଳିଆପଣ୍ଡା ବସ୍ତି ଅଞ୍ଚଳରୁ ଜଣେ ଶିଶୁକନ୍ୟା ଚୋରି ହୋଇଥିଲା। ଏଯାଏ ତାଙ୍କର ପତ୍ତା ମିଳିନାହିଁ। ଏଭଳି ସ୍ଥଳେ ପୁଣି ଜଣେ ଶିଶୁ କନ୍ୟା ବିକ୍ରି ହେବା ଆଲୋଡ଼ନ ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ଶିଶୁକୁ ପୂଜାଙ୍କୁ ହସ୍ତାନ୍ତର କରାଯାଇଛି। ପରେ ଉଭୟ ମା’ ଓ କନ୍ୟାଙ୍କୁ ଜିଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା। ପୂଜାଙ୍କୁ ପଚରାଉଚରା ପରେ ସେ ନିଜ ଭାଇଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

Share