ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ତିହିଡ଼ି,୨।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତର ଅଣ୍ଡରାଇ ଗ୍ରାମରେ ଏକ ନଡ଼ିଆ ଗଛକୁ କେନ୍ଦ୍ରକରି ଗୋଟିଏ ପରିବାରର ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ପୁଅ ଶ୍ରୀଧର ଜେନା(୨୩) ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ବାପ ଶିବପ୍ରସାଦ ଜେନା(୪୮) ଆହତ ହୋଇଛନ୍ତି। ଶିବପ୍ରସାଦ ଏନେଇ ସୋମବାର ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୩୧୨/୨୪) ରୁଜୁ କରିଛି। ଜିଲା ସାଇଣ୍ଟିଫିକ ଟିମ୍‌ ସହ ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶିବପ୍ରସାଦ ଓ ତାଙ୍କ ଭାଇ ଦେବେନ୍ଦ୍ରଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ଶତ୍ରୁତା ଥିଲା। ରବିବାର ଅପରାହ୍ନରେ ଏକ ନଡ଼ିଆ ଗଛକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦେବେନ୍ଦ୍ରଙ୍କ ପରିବାରର କେତେଜଣ ସଦସ୍ୟ ଶିବପ୍ରସାଦଙ୍କୁ ବାଡ଼ି ଓ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଶିବପ୍ରସାଦ ଏହାକୁ ଅଟକାଇବା ସମୟରେ ତାଙ୍କ ହାତ ଭାଙ୍ଗି ଯାଇଥିଲା। ପାଟିତୁଣ୍ଡ ଶୁଣି ଶ୍ରୀଧର ଘର ବାହାରକୁ ଆସିବାରୁ ସଂଘବଦ୍ଧ ଭାବେ ଲୁହାଛଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଶ୍ରୀଧର ଗୁରୁତର ହୋଇ ଚେତାଶୂନ୍ୟ ହୋଇଥିଲେ। ଉଭୟ ବାପ, ପୁଅଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀଧରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀଧର ଏବେ କୋମାରେ ଥିବା ଜଣାଯାଇଛି। ଅପରପକ୍ଷରୁ ମାନସୀ ଜେନାଙ୍କ ପାଲଟା ଅଭିଯୋଗକ୍ରମେ ପୋଲିସ ଅନ୍ୟ ଏକ ମାମଲା (ନଂ.୩୧୩/୨୪) ରୁଜୁ କରିଛି।
Share