ବାପ-ପୁଅ ମିଶି ନାବାଳିକାଙ୍କୁ  କରିଥିଲେ ବଳାତ୍କାର: ରାୟ ଶୁଣାଇଲେ କୋର୍ଟ, ବାପାଙ୍କୁ ୨୦, ପୁଅଙ୍କୁ ୨୫ ବର୍ଷ ଜେଲ୍‌

କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅତିରିକ୍ତ ଜିଲା ଓ ସତନ୍ତ୍ର ଜଜ୍‌ (ପୋକ୍ସ) ଶୁଭଶ୍ରୀ ତ୍ରିପାଠୀ ଜଣେ ୧୫ ବର୍ଷ ନାବାଳିକାଙ୍କୁ  ବଳାତ୍କାର ମାମଲାର ରାୟ ଶୁଣାଇଛନ୍ତି। ସେ ଏହି ଘଟଣାରେ ବାପାଙ୍କୁ ୨୦ ଓ ପୁଅଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ବାପା ହେଲେ ଦୋଳଗୋବିନ୍ଦ ସେଠୀ ଓ ପୁଅ ବୁବୁନ ସେଠୀ (୨୨) ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ୨୬/୧୦/୨୦୨୧ ରେ ନାବାଳିକା ବଂଶପାଳରୁ ଫେରୁଥିବା ବେଳେ ବୁବୁନ ଏକ ବୋଲେରୋରେ କେତେକ ସାଙ୍ଗ ସହିତ ତାଙ୍କୁ ନେଇଯାଇଥିଲେ। ସେମାନେ ବିଲେଇପଦାରୁ ଫେରିବା ସମୟରେ ରିମୁଳି ବାଇପାସ ନିକଟରେ ନାବାଳିକାଙ୍କ ଚେତା ଫେରିଥିଲା। ଏହି ସମୟରେ ସେ ପାଟି କରିବାରୁ ସେଠାରେ ଥିବା କିନ୍ନରମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଣି ୨୮/୧୦/୨୦୨୧ରେ  ବୁବୁନଙ୍କ ପରିବାର ଲୋକେ ନାବାଳିକାଙ୍କ ଘରକୁ ଯାଇ ସେଠାରୁ ତାଙ୍କୁ ଜୋର୍‌ ଜବରଦସ୍ତ ଆଣି ବଂଶପାଳରେ ରଖିଥିଲେ।  ସେଠାରୁ ବୁବୁନ  ସୁନ୍ଦରଗଡ଼ ଜିଲା ସରଗିଗଡ ନେଇଯାଇ ରଖିଥିଲେ। ସେଠାରେ ୪ ମାସ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ବୁବୁନଙ୍କ ବାପା ଦୋଳଗୋବିନ୍ଦ ନାବାଳିକାଙ୍କୁ ନଗରିଆ ନେଇ ଯାଇଥିଲେ। ସେଠାରୁ ବାଂଶପାଳକୁ ଆଣି ଫେରିବା ବେଳେ ରାକମ ଘାଟିରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।
ବିଶ୍ରା ରୋଡ ଚାଇଲ୍ଡ ଲାଇନ ନାବାଳିକାଙ୍କୁ ଉଦ୍ଧାରକରି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ନାବାଳିକାଙ୍କୁ ଚାଇଲ୍ଡ ଲାଇନ ୟୁନିଟ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରିବାର ଲୋକ ଘଟଣା ସମ୍ପର୍କରେ ଜାଣି  ୨୨ ମାର୍ଚ୍ଚ ୨୦୨୨ରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ ନଂ ୧୧୦/୨୦୨୨ରେ ପୋକ୍ସୋ ଆଇନରେ ମାମଲା ରୁଜୁକରି  ଉଭୟ ବାପା ପୁଅଙ୍କୁ ଗିରଫ କରିଥିଲା ।  ପୋଲିସ ତଦନ୍ତ ରିପୋର୍ଟ ଓ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି  ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।  ପୁଅ ବୁବୁନ ସେଠୀଙ୍କୁ ବିଭିନ୍ନ ଦଫାରେ ସମୁଦାୟ ୨୫ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୩୩ ହଜାର ଟଙ୍କା ଜରିମାନା ଆଦେଶ କରାଯାଇଥିବା କରିବା ସହ ଅର୍ଥ ଅନାଦେୟ ବାବଦକୁ ଅଧିକ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି। ସେହିପରି ବାପା ଦୋଳଗୋବିନ୍ଦଙ୍କୁ ବିଭିନ୍ନ ଦଫାରେ ସମୁଦାୟ ୨୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଫାଇନ କରାଯାଇଛି। ଫାଇନ ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯାଇଛି ବୋଲି ସତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ଆଦେଶ କରିଥିବା ଜଣାପଡ଼ିଛି।
Share