ବାପ-ପୁଅ ଚଲାଉଥିଲେ ନକଲି ଜର୍ଦ୍ଦା, ଗୁଟଖା କାରଖାନା

କଟକ ଅଫିସ,୮।୮: କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମରୁ ରବିବାର ୨ଶହ ବସ୍ତା ନକଲି ଜର୍ଦ୍ଦା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଦିଲୀପ କୁମାର ଦାସ(୫୯) ଓ ତାଙ୍କର ପୁତ୍ର ରାକେଶ କୁମାର ଦାସ(୩୫) ପୋଲିସକୁ ଚକମାଦେଇ ଫେରାର ହୋଇଯାଇଛନ୍ତି।

ଏନେଇ ସଦର ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା କହିଛନ୍ତି ଯେ, ଉଭୟ ଅଭିଯୁକ୍ତ ନିଜ ଗ୍ରାମ ମୁକାମେଶ୍ୱରରେ ବିଭିନ୍ନ ଜର୍ଦ୍ଦା କମ୍ପାନୀର ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିଲେ। ବିଶେଷ ସୂତ୍ରରୁ ଖବରପାଇ ସଦର ଥାନା ପୋଲିସ ଚଢାଉ କରିଥିଲା। ସେହିପରି ତାଙ୍କ ନିକଟରେ କୌଣସି ପ୍ରକାର ଖାଦ୍ୟ ନିରାପତ୍ତା ଲାଇସେନ୍ସ ଓ ଟ୍ରେଡମାର୍କ ନ ଥିଲା। ଆଗାମୀ ଦିନରେ ବେଆଇନ କାରବାର ଉପରେ ନିୟମିତ ଭାବେ ଚଢାଉ କରାଯିବ ବୋଲି ଜେନା କହିଛନ୍ତି।

ସେହିପରି ମାଲଗୋଦାମ ଅଞ୍ଚଳରୁ ମଧ୍ୟ ବିପୁଳ ପରିମାଣର ବେଆଇନ ଜର୍ଦ୍ଦା ସହ ଗୁଟଖା ଓ ଶତାବରୀ ଜବତ କରିଛି ପୋଲିସ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ କାର୍ତ୍ତିକ ରାମ ନାମକ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

Share