ବାଛୁରି ଆଣିବାକୁ ଯାଇ ଭାସିଗଲେ ବାପ, ପୁଅ

ବରୀ,୧୫ା୯(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମର କୁଶ ସିଂ(୫୭) ଓ ତାଙ୍କର ପୁଅ କୈଳାସ ସିଂ(୨୭) ବୁଧବାର ବ୍ରାହ୍ମଣୀର ବନ୍ୟା ସ୍ରୋତରେ ଭାସି ଯାଇଛନ୍ତି।

ବରୀ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇ ନ ଥିଲେ। ମିଳିଥିବା ସୂଚନା ଅନୁସାରେ, ବାପ, ପୁଅ ଘରଠାରୁ କିଛି ଦୂରରେ ଥିବା ଗୁହାଳରୁ ତାଙ୍କର ଏକ ବାଛୁରିକୁ ଆଣିବା ପାଇଁ ଗଙ୍ଗାଧରପୁର ରୋଡ୍‌ରେ ଯାଉଥିଲେ। ତେବେ ଏହି ରୋଡ୍‌ଦେଇ ବନ୍ୟାଜଳ ପ୍ରବଳ ସ୍ରୋତ ଥିବାରୁ ଉଭୟ ଆଗକୁ ଯାଇ ନ ପାରି ଭାସି ଯାଇଥିଲେ। ସୁଅ ଏତେ ପ୍ରଖର ଥିଲା ଯେ, କିଛି ସମୟ ମଧ୍ୟରେ ସେମାନେ ନିଖୋ ହୋଇ ଯାଇଥିଲେ। ସ୍ବାଇଁଖଣ୍ଡ ପାଟ ଆଡକୁ ଭାସି ଯାଇଥିବାରୁ ଅଗ୍ନିଶମ ବାହିନୀ ସେଠାରେ ଖୋଜାଖୋଜି କରିଥିଲେ। ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ଅଧାରେ ବନ୍ଦ ରହିଛି। ଅନ୍ୟପକ୍ଷରେ ବନ୍ୟାରେ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ସାହୁପଡ଼ା ପଞ୍ଚାୟତର ମାଟିଆପଡ଼ା ନିକଟରେ ଏକ ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁ ସାହୁପଡ଼ା, ଧାରପୁର, ସ୍ବାଇଁଖଣ୍ଡ ଓ ବାଲିଆ ଅଞ୍ଚଳର ବହୁ ଗ୍ରାମ ଜଳମଗ୍ନ ହୋଇଛି।

Share