୬୫ ବର୍ଷରେ ବି ବାପା ବକ୍ସ ଅଫିସରେ ହିଟ୍‌, ପୁଅଙ୍କ ଡେବ୍ୟୁ ଫିଲ୍ମ ଦେଖିବାକୁ ଆସୁନାହାନ୍ତି ଦର୍ଶକ

ବମ୍ବେ: ବାପାଙ୍କ ଫିଲ୍ମ ସୁପରହିଟ୍‌ ତ ପୁଅଙ୍କ ଫିଲ୍ମ ହେଲା ସୁପରଫ୍ଲପ। ଆମେ କହୁଛୁ ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲଙ୍କ ବିଷୟରେ। ସନ୍ନିଙ୍କ ଫିଲ୍ମ ‘ଗଦର ୨’ ରିଲିଜର ୬୦ ଦିନ ପରେ ବି ବକ୍ସ ଅଫିସରେ ହିଟ୍‌ ହୋଇ ରହିଥିବା ବେଳେ ରାଜବୀରଙ୍କ ଡେବ୍ୟୁ ଫିଲ୍ମ ‘ଦୋନୋ’ ଦର୍ଶକଙ୍କ ମନ ଜିଣିବାରେ ହୋଇଛି ବିଫଳ। ଚଳିତ ସପ୍ତାହରେ ଫିଲ୍ମ ରିଲିଜ ହୋଇଥିଲେ ହେଁ ହଲ୍‌ ଖାଁ ଖାଁ ରହୁଛି। ଏହାକୁ ନେଇ ସିନେମା ହଲ ମାଲିକଙ୍କୁ ଅନେକ ଶୋ’ ବାତିଲ କରିବାକୁ ପଡ଼ିଛି।

‘ଦୋନୋ’ରେ ରାଜବୀରଙ୍କ ସହ ଅଭିନେତ୍ରୀ ପୁନମ୍‌ ଢ଼ିଲ୍ଲୋଙ୍କ ଝିଅ ପଲୋମା ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏଥିସହ ସୁରଜ ବଡଜାତ୍ୟାଙ୍କ ପୁଅ ଅବନୀଶ ବଡଜାତ୍ୟା ମଧ୍ୟ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି। ଚଳଚ୍ଚିତ୍ରରେ ଗୋଟିଏ କିମ୍ବା ଦୁଇଟି ନୁହଁ ତିନି ନୂଆ ଚେହେରା ଥିବା ସତ୍ତ୍ୱେ ଫିଲ୍ମ ପ୍ରଶଂସକଙ୍କୁ ନିରାଶ କରିଛି।

କହିରଖୁଛୁ, ରାଜବୀର ସନ୍ନି ଦେଓଲଙ୍କ ସାନ ପୁଅ। ବଡ଼ ପୁଅ କରନ୍‌ ପୂର୍ବରୁ ବଲିଉଡରେ ପାଦ ରଖି ସାରିଛନ୍ତି। ‘ପଲ ପଲ ଦିଲ କେ ପାସ’ ଜରିଆରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ଏହା ସେତେଟା ପ୍ରଭାବ ପକାଇ ପାରି ନ ଥିଲା।

Share