ଟେନ୍‌ସା,୨ା୫(ଡି.ଏନ୍‌.ଏ.): ମଦନିଶାରେ ତିନି ୩ ନିଷ୍ପାପ ସନ୍ତାନଙ୍କୁ ହତ୍ୟା କରି ଜଙ୍ଗଲରେ ଲୁଚି ରହିଥିବା ସୈତାନ ବାପାଙ୍କୁ ଜଙ୍ଗଲ ଭିତରୁ ଗିରଫ କରିଛି କୋଇଡା ପୋଲିସ। ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର କୁଲା ଗ୍ରାମର ମୁଣ୍ଡା ବସ୍ତିରେ ପାଣ୍ଡୁ ମୁଣ୍ଡା(୨୧)ର ଘର। ତା’ର ସ୍ତ୍ରୀ ଧୋବଲି ମୁଣ୍ଡା(୨୦) ଝିଅ ସୀମା ମୁଣ୍ଡା (୫),ପୁଅ ରାଜୁ ମୁଣ୍ଡା,(୨) ଓ ଦୁଇ ମାସର ଝିଅକୁ ନେଇ ହସ ଖୁସିର ସଂସାର। ହେଲେ ପାଣ୍ଡୁ ମୁଣ୍ଡା ଶନିବାର ବଜାରରୁ ମଦ ପିଇ ନିଶାରେ ନିଜର କଅଁଳ ୩ ଶିଶୁଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଥିଲେ।
ଖବର ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅ ମଧ୍ୟରୁ ୩ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ସୈତାନ ବାପା ପାଣ୍ଡୁ ପିଲାମାନଙ୍କୁ ହତ୍ୟା କରିବା ପରେ ଭୟରେ ନିକଟସ୍ଥ ଜଙ୍ଗଲ ଭିତରକୁ ଦୌଡ଼ି ପଳେଇ ଯାଇଥିଲେ। କୋଇଡା ପୋଲିସ ରବିବାର ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ରବିବାର କୋଇଡା ପୋଲିସ ଜଙ୍ଗଲରେ ତଲାସ କରିବା ପରେ  ପାଣ୍ଡୁଙ୍କୁ ଗିରଫ କରିଥିଲା। ରବିବାର ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି ବୋଲି କୋଇଡା ଥାନା ଆଇଆଇସି ଲୋକେଶ୍ୱର ସାହୁ ପ୍ରକାଶ କରିଛନ୍ତି।

Share