Categories: ଜାତୀୟ

ଏ ବର୍ଷ ମୌସୁମୀ ପାଇଁ ଅନୁକୂଳ ସ୍ଥିତି

ନୂଆଦିଲ୍ଲୀ,୬ା୪

ଭାରତର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଚଳିତ ବର୍ଷ ଏକ ଅନୁକୂଳ ମୌସୁମୀ ଋତୁର ଆଗୁଆ ସଙ୍କେତ ମିଳିଥିବା ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଏଲ୍‌ ନିନୋ ପ୍ରଭାବ ହ୍ରାସ ସହ ୟୁରେସିଆରେ ନିମ୍ନ ତୁଷାରପାତ ଯୋଗୁ ଏପରି ହେବା ସେମାନେ ପୂର୍ବାନୁମାନ କରିଛନ୍ତି। ଏକ ନ୍ୟୁଜ୍‌ ଏଜେନ୍ସିକୁ ସାକ୍ଷାତ୍‌କାର ଦେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ଜଳବାୟୁ ବହୁପରିମାଣରେ ଅନୁକୂଳ ରହିଛି। ଭାରତୀୟ କୃଷି ଅର୍ଥନୀତି ପାଇଁ ବର୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଚଳିତ ବର୍ଷ ମୌସୁମୀ ଅନୁକୂଳ ରହିବା ଚାଷୀମାନଙ୍କ ଲାଗି ଭଲ ଖବର। ଆଇଏମ୍‌ଡି ଡିଜିଙ୍କ କହିବା ଅନୁଯାୟୀ ଏବର୍ଷ ଏଲ୍‌ ନିନୋର ପ୍ରଭାବ ଫିକା ରହିବ। ଜୁନ୍‌ ଆରମ୍ଭରୁ ଏହା ନିଷ୍କ୍ରିୟ ସ୍ଥିତିକୁ ଆସିପାରେ। ଏଲ୍‌ ନିନୋ (କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଜଳରାଶିର ଉତ୍ତପ୍ତ ସ୍ଥିତି) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ପ୍ରଭାବିତ କରିଥାଏ। ଏହା ନିଷ୍କ୍ରିୟ ରହିବା ସହ ମୌସୁମୀ ଋତୁର ଦ୍ୱିତୀୟାର୍ଦ୍ଧ ଜୁଲାଇରୁ ସେପ୍ଟେମ୍ବର ଲା ନିନା ସ୍ଥିତି ଯୋଗୁ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଶୀତଳ ହେବ, ଯାହା ଭାରତୀୟ ମୌସୁମୀ ପାଇଁ ଅନୁକୂଳ। ଗତବର୍ଷ ମଧ୍ୟ ଏଲ୍‌ ନିନୋ ମୌସୁମୀ ଉପରେ ପ୍ରତିକୂଳ ପ୍ରଭାବ ପକାଇ ନ ଥିଲା ବୋଲି ମୃତ୍ୟୁଞ୍ଜୟ କହିଛନ୍ତି। ସେହିପରି ଚଳିତବର୍ଷ ତୁଷାର ଆସ୍ତରଣ କମ୍‌ ରହିବାକୁ ଥିବାରୁ ଏହା ଆଉ ଏକ ଶୁଭ ସଙ୍କେତ। ଭାରତରେ ବାର୍ଷିକ ବୃଷ୍ଟିପାତର ୭୦ ପ୍ରତିଶତ ମୌସୁମୀରୁ ମିଳିଥାଏ, ଯାହା କୃଷି ସେକ୍ଟର ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶର ଜନସଂଖ୍ୟାର ଅଦ୍ଧାଧିକ ଲୋକ କୃଷିରେ ନିୟୋଜିତ ଥିବାବେଳେ ଜିଡିପିର ୧୪ ପ୍ରତିଶତ କୃଷି ସେକ୍ଟରରୁ ମିଳିଥାଏ।

Share