ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଇରାନ୍‌ର ଯୋଜନାକୁ ପଣ୍ଡ କଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୦ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତୃତୀୟ ଥର ପାଇଁ ହତ୍ୟା ଉଦ୍ୟମ ହୋଇଥିଲା। ଇରାନ ପକ୍ଷରୁ କରାଯାଇଥିବା ଏହି ଯୋଜନାକୁ ସଂଘୀୟ ତଦନ୍ତ ବ୍ୟୁରୋ (ଏଫ୍‌ବିଆଇ) ପଣ୍ଡ କରିଦେଇଛି। ଏହି ମାମଲାରେ ଇରାନର ଜଣେ ନାଗରିକଙ୍କ ନାଁରେ ମାମଲା ରୁଜୁହେବା ସହ ୨ ଜଣ ଆମେରିକୀୟଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଫାର୍‌ଂହାଦ ଶକେରି (୫୧) ଇରାନର ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ସହ ସମ୍ପୃକ୍ତ ବୋଲି ଏଫ୍‌ବିଆଇ କହିଛି। ଗୁରୁବାର ନ୍ୟୁୟର୍କର ବ୍ରୁକ୍‌ଲିନ୍‌ ଏବଂ ଷ୍ଟାଟେନଇ ଆଇଲାଣ୍ଡରୁ ୨ ଆମେରିକୀୟ କାର୍ଲିସଲ୍‌ ରିଭେରା(୪୯) ଏବଂ ଜୋନାଥନ ଲୋଡ୍‌ହଲ୍ଟ (୩୬)ଙ୍କୁ ଗିରଫ କରାଯାଇଥିଲା। ଟ୍ରମ୍ପ୍‌ଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ଶକେରିଙ୍କୁ ଅକ୍ଟୋବର ୭ରେ ଇରାନ ସରକାର ଦାୟିତ୍ୱ ଦେଇଥିଲେ ବୋଲି ସେ ଏକ ରେକର୍ଡେଡ୍‌ ସାକ୍ଷାତ୍‌କାରରେ କହିଥିଲେ। ତେବେ ଆଇଆର୍‌ଜିସି ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବାକୁ ଶକେରି ଚାହୁଁ ନ ଥିଲେ ବୋଲି କହିଛନ୍ତି। ଏହା ବ୍ୟତୀତ ନ୍ୟୁୟର୍କ ସହରରେ ରହୁଥିବା ୨ ଜଣ ଇହୁଦୀ ଆମେରିକୀୟଙ୍କ ଉପରେ ନଜର ରଖିବା ଲାଗି ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ଜଣକୁ ହତ୍ୟାକଲେ ୫ ଲକ୍ଷ ଡଲାର ଦିଆଯିବ ବୋଲି ଆଇଆର୍‌ଜିସି ଶକେରିଙ୍କୁ ପ୍ରସ୍ତାବ ଦେଇଥିଲା। ଏକ ଡକାୟତି ମାମଲାରେ ୧୪ ବର୍ଷ ଜେଲରେ ରହିବା ପରେ ୨୦୦୮ରେ ତାଙ୍କୁ ଇରାନ ପ୍ରତ୍ୟର୍ପଣ କରାଯାଇଥିଲା।

Share