Categories: ଜାତୀୟ

ଏଫ୍‌ସିଆଇ ଦୁର୍ନୀତି: ୫୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୧୨।୧: ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ଦେଶର ୫୦ଟି ସ୍ଥାନରେ ଚଢ଼ାଉ କରି ନଗଦ ୬୦ ଲକ୍ଷ ଟଙ୍କା ଜବତ କରିଛି। ଦୁର୍ନୀତିରେ ସମ୍ପୃକ୍ତ କେତେଜଣ ଧାନ ଓ ଅଟା କଳ ମାଲିକ, ଏଜେଣ୍ଟ ଏବଂ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ କରାଯାଇଥିଲା।

ଏଫ୍‌ସିଆଇ ପାଇଁ ଖାଦ୍ୟଶସ୍ୟ ସଂଗ୍ରହ, ଗଚ୍ଛିତ ରଖିବା ଓ ବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏଫ୍‌ସିଆଇରେ ଦୁର୍ନୀତିପୂର୍ଣ୍ଣ ଉପାୟ ଅବଲମ୍ବନ କରାଯାଉଥିବା ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ସଂସ୍ଥାର ଉପମହାପ୍ରବନ୍ଧକ ରାଜୀବ କୁମାର ମିଶ୍ର ପଞ୍ଜାବର ରବିନ୍ଦର ସିଂ ଖେରାଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା।

ଏହାର ଦୁଇଦିନ ପୂର୍ବରୁ ସିବିଆଇ କେତେଜଣ ସରକାରୀ ଅଧିକାରୀ, ଘରୋଇ ସଂସ୍ଥା, ଏଜେଣ୍ଟ ଏବଂ ମିଲ୍‌ ମାଲିକଙ୍କ ସମେତ ୭୪ ଜଣଙ୍କ ବିରୋଧରେ ଏତଲା ଦାଏର କରିଥିଲା। ଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ଏହି ଚଢ଼ାଉ ଜାରି ରହିଛି।

Share