Categories: ବାଣିଜ୍ୟ

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଜାରି ରହିଛି। ଏପରିକି ବ୍ୟାଙ୍କର ଜମା ରାଶି ବୃଦ୍ଧି ପାଇଁ ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବିଭିନ୍ନ ଯୋଜନା ଉପରେ ଆକର୍ଷଣୀୟ ଅଫର ଓ ସୁବିଧା ଯୋଗାଇ ଦେଉଛନ୍ତି। ଫଳରେ ଗତ କିଛି ମାସ ହେବ ବ୍ୟାଙ୍କର ବିଭିନ୍ନ ଯୋଜନାରେ ଗ୍ରାହକଙ୍କ ଭାଗୀଦାରି ପୂର୍ବାପେକ୍ଷା ବୃଦ୍ଧି ପାଇଛି। ଅପରପକ୍ଷରେ ୨୦୨୪ ଅକ୍ଟୋବର ମାସରେ ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପକ୍ଷରୁ ଫିକ୍ସଡ ଡିପୋଜିଟ (ଏଫ୍‌ଡି) ଉପରେ ଆକର୍ଷଣୀୟ ଅଫର ସାଙ୍ଗକୁ ସୁଧ ହାର ବୃଦ୍ଧି କରିଛନ୍ତି। ଏପରିକି ୧୦ଟି ବ୍ୟାଙ୍କ ୭.୫%ରୁ ଅଧିକ ସୁଧହାର ପ୍ରଦାନ କରୁଥିବାବେଳେ ୩ ବର୍ଷିଆ ଅବଧି ଅଫର ପ୍ରଦାନ କରୁଛନ୍ତି। ସେହିଭଳି ବ୍ୟାଙ୍କଗୁଡିକର ଅନ୍ୟାନ୍ୟ ଯୋଜନାରେ ମଧ୍ୟ ସୁଧ ହାର ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସବୁ ବର୍ଗର ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି।

ଦେଶର ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଏଫ୍‌ଡି ଉପରେ ୭% ରୁ ୯% ପର୍ଯ୍ୟନ୍ତ ସୁଧହାର ପ୍ରଦାନ କରୁଛନ୍ତି। ଏପରିକି ସ୍ବଳ୍ପ ଅବଧି ଯୋଜନାରେ ମଧ୍ୟ ଆକର୍ଷଣୀୟ ଅଫର ଓ ଅନ୍ୟାନ୍ୟ ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି। ବିଶେଷକରି ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏଫ୍‌ଡି ଉପରେ ୭ ରୁ ୭.୫% ସୁଧହାର ପ୍ରଦାନ କରୁଥିବାବେଳେ ଆକ୍ସିସ ବ୍ୟାଙ୍କ ,ଡିସିବି ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ,ଆଇସିଆଇସିଆଇ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ଭଳି ୧୦ରୁ ଅଧିକ ଘରୋଇ ବ୍ୟାଙ୍କ ୭ରୁ ୯% ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଚଳିତ ପାର୍ବଣରେ ଉଭୟ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ ଏଫ୍‌ଡି ସଂଖ୍ୟା ପୂର୍ବମାସ ଅପେକ୍ଷା ୧୨% ଅଧିକ ବୃଦ୍ଧି ପାଇଛି।

Share