Categories: ବାଣିଜ୍ୟ

ପ୍ରଥମ ତ୍ରୈମାସରେ ଏଫ୍‌ଡିଆଇ ୩୪% ହ୍ରାସ

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ବିଗତ କିଛି ମାସ ହେଲା ଦେଶର ଫରେନ ଡାଇରେକ୍ଟ ଇନ୍‌ଭେଷ୍ଟ (ଏଫଡିଆଇ) ହ୍ରାସ ପାଇବାରେ ଲାଗିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ) ମଧ୍ୟରେ ଏଫଡିଆଇ ୩୪% ହ୍ରାସ ଘଟି ୧୦.୯୪ ବିଲିୟନ ଡଲାରରେ ରହିଛି। ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ଦେଶର ଏଫଡିଆଇ ୧୬.୫୮ ବିଲିୟନ ଡଲାର ରହିଥିଲା ବୋଲି ସରକାରୀ ଡାଟା (ଡିପିଆଇଆଇଟିର)ରୁ ଜଣାପଡିଛି। ବିଶେଷ କରି ୨୦୨୩ ଜାନୁୟାରୀରୁ ମାର୍ଚ୍ଚ ତ୍ରୈମାସରେ ଦେଶର ଏଫଡିଆଇ ୪୦.୫୫% କମି ୯.୨୮ ବିଲିୟନ ଡଲାର ରହିଥିଲା। ଅପରପକ୍ଷରେ ଡିପିଆଇଆଇଟିର ଡାଟାରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ)ରେ ବିଦେଶୀ ନିବେଶ କମିଥିବାବେଳେ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ବିଶ୍ୱ ଅର୍ଥନୀତିର ପ୍ରଭାବରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ)ରେ ଯାଥାକ୍ରମେ ୫.୧ ବିଲିୟନ ଡଲାର, ୨.୬୭ ବିଲିୟନ ଡଲାର ଏବଂ ୩.୧୬ ବିଲିୟନ ଡଲାର ରହିଛି । ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଏହି ସଂଖ୍ୟା ଯଥାକ୍ରମେ ୬.୪୬ ବିଲିୟନ ଡଲାର, ୬.୧୫ ବିଲିୟନ ଡଲାର ଏବଂ ୩.୯୮ ବିଲିୟନ ଡଲାର ଥିଲା। ଦେଶର ମୋଟ ଏଫଡିଆଇ ଚଳିତ ଆଥିକ ବର୍ଷର ପ୍ରଥମ ତ୍ରୈମାସରେ ୨୧.୪% କମି ୧୭.୫୬ ବିଲିୟନ ଡଲାର ରହିଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୨୨.୩୪ ବିଲିୟନ ଡଲାର ଥିଲା। ଦେଶର ମୋଟ ଏଫଡିଆଇରେ ଇକ୍ୱିଟି ପ୍ରବାହ, ରି-ଇନଭେଷ୍ଟଡ୍‌ ଇନକମ୍‌ ଏବଂ ଅନ୍ୟ ପୁଞ୍ଜି ଅନ୍ତର୍ଭୁକ୍ତ। ସେହିଭଳି ସରକାରୀ ଡାଟାରୁ ଜଣାପଡ଼ିଛି ଯେ ମରିସସ୍‌, ସିଙ୍ଗାପୁର, ଆମେରିକା ଏବଂ ୟୁଏଇ ଭଳି ଦେଶର ଏଫଡିଆଇ ପରିମାଣ ମଧ୍ୟ ହ୍ରାସ ଘଟିଛି। ବିଶେଷ କରି କମ୍ପ୍ୟୁଟର ସଫ୍ଟୱେର ଏବଂ ହାର୍ଡୱେର, ଟ୍ରେଡିଂ, ଦୂରସଞ୍ଚାର, ବାହନ, ଫାର୍ମା ଏବଂ ରସାୟନ ପରି କ୍ଷେତ୍ରରେ ଏଫଡିଆଇ କମିଛି। ଅନ୍ୟପଟେ ସେବା, ନିର୍ମାଣ ଗିତିବିଧିରେ ଏଫଡିଆଇ ବଢିଛି।

Share