ବିଜେଡିକୁ ଘୋଡ଼ାବେପାର ଭୟ

ଅନୁଗୋଳ, ୨୪।୭(ଅମିତ୍‌ ସାମଲ: ଅନୁଗୋଳ ଜିଲା ପ୍ଲାନିଂ କମିଟି ସଦସ୍ୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ମୋଟ ୨ଟି ପଦବୀ ଲାଗି ମତଦାନ ହେବ। କମିଟିରେ ଗୋଟିଏ ପଦବୀ ପୁରୁଷ ବର୍ଗଙ୍କ ଲାଗି ରହିଥିବାବେଳେ ଅନ୍ୟଟି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଭାଜପା ସମର୍ଥତ୍ତ ୨ ଏବଂ ଶାସକ ବିଜେଡି ସମର୍ଥିତ ୨ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାର ତାଳଚେର, ଅନୁଗୋଳ ପୌର ପରିଷଦ, ଆଠମଲ୍ଲିକ ଏନ୍‌ଏସିର କାଉନସିଲର ଏବଂ ନଗରପାଳ ଭୋଟିଂ ପ୍ରକ୍ରିୟାରେ ସାମିଲ ହେବେ। ତେବେ ସଂଖ୍ୟାଗରିଷ୍ଠ ଥିବା ସତ୍ତ୍ୱେ ଶାସକ ଦଳକୁ ଘୋଡ଼ା ବେପାର ଭୟ ଘାରିଥିବା ଚର୍ଚ୍ଚା ହେଉଛି। ତେଣୁ ସ୍ଥାନୀୟ ବନ ବିଭାଗ ଡାକବଙ୍ଗଳା (ଆଇବି)ରେ ରବିବାର ସନ୍ଧ୍ୟାରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡି ନେତା ଏବଂ ୧୦ କାଉନ୍‌ସିଲରଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। କ୍ରଶ୍‌ଭୋଟିଂ ଏଡ଼ାଇବା ଲାଗି ବ୍ୟାପକ ମାନସମନ୍ଥନ କରାଯାଇଛି। ଅନ୍ୟପଟେ ଘୋଡ଼ାବେପାର ଆଶଙ୍କା ଥିବାରୁ ସୋମବାର ସନ୍ଧ୍ୟା ସୁଦ୍ଧା ବିଜେଡିର ବିଜୟୀ ନଗରପାଳ ଏବଂ କାଉନ୍‌ସିଲରମାନେ ଅଜ୍ଞାତବାସରେ ଯିବେ। ସେମାନଙ୍କ ଲାଗି ରବିବାର ୩୦ଟି ରୁମ୍‌ ବୁକିଂ ସରିଥିବାବେଳେ ସୋମବାର ସୁଦ୍ଧା ଆଉ ୧୦ଟି ରୁମ୍‌ ବୁକିଂ ହେବ ବୋଲି ଜଣାପଡ଼ିଛି। ସୋମବାର ରାତି ୮ଟା ସୁଦ୍ଧା ସମସ୍ତ କାଉନସିଲର ଓ ନଗରପାଳ ସେଠାରେ ପହଞ୍ଚତ୍ବେ। ଏହା ପରେ ସେମାନଙ୍କୁ ସେଠାରେ ମତଦାନ ପ୍ରକ୍ରିୟା ସମ୍ପର୍କରେ ବିଧିବଦ୍ଧ ଭାବେ ତାଲିମ ପ୍ରଦାନ କରାଯିବ। ହୋଟେଲ୍‌ରୁ କାଉନ୍‌ସିଲର ଏବଂ ନଗରପାଳମାନେ ସିଧାସଳଖ ଭୋଟଗ୍ରହଣ କେନ୍ଦ୍ରକୁ ଯିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଜିଲା ପ୍ଲାନିଂ କମିଟି ସଦସ୍ୟ ପାଇଁ ଅନୁଗୋଳର ଭାଜପା ସମର୍ଥତ୍ତ ପ୍ରାର୍ଥତ୍ନୀ ସରିତା ମିଶ୍ର ନିର୍ବାଚନ ଲଢୁଥିବାବେଳେ ବିଜେଡିର ଊଷା ସାମଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ସେହିପରି ତାଳଚେରର ବିଜେଡି ସମର୍ଥତ୍ତ ଜଗନ୍ନାଥ ଗଡ଼ନାୟକଙ୍କ ବିରୋଧରେ ଭାଜପା ସମର୍ଥିତ ସନ୍ତୋଷ ବେହେରା ନିର୍ବାଚନ ଲଢୁଛନ୍ତି। ଅନୁଗୋଳ ପୌରପାଳିକାରେ ଭାଜପାର ସଂଖ୍ୟାଗରିଷ୍ଠ ରହିଛି। ଏଠାରେ ୧୩ ଭାଜପା ଏବଂ ୧୦ ବିଜେଡି କାଉନସିଲର ରହିଛନ୍ତି। ଭାଜପାର ସଂଖ୍ୟାଗରିଷ୍ଠ ସତ୍ତ୍ୱେ ନଗରପାଳ ପଦବୀ ଶାସକ ବିଜେଡି ହାତେଇଛି। ସେହିପରି ତାଳଚେର ପୌରପାଳିକାରେ ୨୧ ଆସନରୁ ୧୮ଟିରେ ବିଜେଡି ଏବଂ ୫ ଆସନରେ ଭାଜପା କାଉନ୍‌ସିଲର ବିଜୟୀ ହୋଇଛନ୍ତି। ନଗରପାଳ ପଦବୀରେ ଏଠାରୁ ବିଜେଡି ଜିତିଛି। ଆଠମଲ୍ଲିକ ଏନ୍‌ଏସିର ୧୧ ଆସନ ମଧ୍ୟରୁ ୯ଟିରେ ବିଜେଡି, ଗୋଟିଏରେ ଭାଜପା ଏବଂ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ନଗରପାଳ ପଦବୀରେ ବିଜେଡି ବିଜୟୀ ହୋଇଛି। ଅନୁଗୋଳର ଗୋଳିଆ ଗଣିତରୁ ରାଜନୈତିକ ଫାଇଦା ନେବାକୁ ଭାଜପା ଯୋଜନା କରୁଥିବାବେଳେ ଏହାକୁ କିପରି ରୋକାଯାଇପାରିବ ସେ ନେଇ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି।