ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ପୁଣି ସଙ୍କଟ ଘନେଇବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୪୩ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୪୬୪ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୩ ହଜାର ୯୮୯ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୬ ହଜାର ୧୧୨ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୯୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୦ ଲକ୍ଷ ୩୬ ହଜାର ୨୭୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୩ ଲକ୍ଷ ୬୫ ହଜାର ୮୯୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ, ଦିଲ୍ଲୀ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧,୮୪୯ ଜଣ, ପଶ୍ଚିମବଙ୍ଗରେ ୧,୦୧୧ ଜଣ, ତାମିଲନାଡୁରେ ୧,୪୬୭ ଜଣ, ପଞ୍ଜାବରେ ୪୬୫ ଜଣ କେରଳରେ ୧,୬୩୯ ଜଣ, କର୍ନାଟକରେ ୧,୬୯୨ ଜଣ, ଓଡ଼ିଶାରେ ୧,୦୨୯ ଜଣ, ଗୁଜରାଟରେ ୯୪୨, ଆସାମରେ ୬୮୬ ଜଣ, ତେଲେଙ୍ଗାନାରେ ୭୦୫, ହିମାଚଳପ୍ରଦେଶରେ ୧୯୮ ଜଣ, ଛତିଶଗଡ଼ରେ ୨୨୦ ଜଣ, ଦିଲ୍ଲୀରେ ୧,୨୬୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୬୨୫ ଜଣ, ଆନ୍ଧ୍ରପ୍ରଦେଶରେ ୩୩୨ ଜଣ, ଉତ୍ତରପ୍ରଦେଶରେ ୫୦୪ ଜଣ, ଜମ୍ମୁ-କଶ୍ମୀରରେ ୭୦୪ ଜଣ, ବିହାରରେ ୨୯୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜସ୍ଥାନରେ ୨୪୩ ଜଣ, ମଧ୍ୟପ୍ରଦେଶରେ ୨୧୩ଜଣ, ଉତ୍ତରାଖଣ୍ଡରେ ୨୨୪ ଜଣ, ପୁଡୁଚେରୀରେ ୧୧୩ ଜଣ, ଚଣ୍ଡିଗଡ଼ରେ ୧୮୮ ଜଣ, ସିକିମ୍‌ରେ ୧୧୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୪ କୋଟି ୩୪ ଲକ୍ଷ ୩ ହଜାର ୬୭୬ରେ ପହଞ୍ଚିଛି। ସେଥିମଧ୍ୟରେ ୯୨ କୋଟିରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୪୦ ଲକ୍ଷ ଦ୍ୱିତୀୟ ଡୋଜ୍‌ ଥିଲା। ଗତ ୨୪ ଘଣ୍ଟାରେ ୬ ଲକ୍ଷ ୩୪ ହଜାର ୧୬୭ ଟିକା ପ୍ରଦାନ କରାଯାଇଛି।

Share