Categories: ଜାତୀୟ

ଧରା ପଡ଼ିବା ଭୟ: ଜଳାଇଲେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ

ମିରଟ, ୨୨।୮: ଉତ୍ତରପ୍ରଦେଶରେ ଅପରାଧୀ ଆଇନ ଶୃଙ୍ଖଳାକୁ ଆଉ ଭୟ କରୁ ନାହାଁନ୍ତି। ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଏକ ନିତିଦିନିଆ ଘଟଣାରେ ପରିଣତ ହେବାରେ ଲାଗିଛି। ସ୍ଥାନୀୟ ପରତାପୁର ଅଞ୍ଚଳର ଏକ ଗୋଦାମରେ ୫୦ କୋଟି ଟଙ୍କାର ନକଲି ଏନ୍‌ସିଇଆର୍‌ଟି ପୁସ୍ତକ ଜଳାଇ ଦିଆଯାଇଛି। ଧରାପଡ଼ିବା ଭୟରେ ଅଭିଯୁକ୍ତ ସଚିନ ଗୁପ୍ତାଙ୍କ ଇଶାରାରେ ଏଭଳି କରାଯାଇଛି। ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତ ଉଦ୍ୟମ କରିଥିବା କୁହାଯାଉଛି। ଫୋରେନ୍ସିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାଉଁଶ ଗଦାରୁ ସତ୍ୟର ସନ୍ଧାନ ଜାରି ରହିଛି। ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନକଲି ପୁସ୍ତକର ଯାଞ୍ଚ୍‌ କରିବେ ବୋଲି କୁହାଯାଉଛି। ଏହି ପୁସ୍ତକ ଉତ୍ତରଖଣ୍ଡ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟକୁ ପଠାଯାଉଥିବା କୁହାଯାଉଛି। ଇତିମଧ୍ୟରେ ସମ୍ପୃକ୍ତ ଭାଜପା ନେତାଙ୍କ ୩ ପ୍ରିଣ୍ଟିଂ ପ୍ରେସ୍‌ରେ ଚଢ଼ାଉ କରାଯାଇଛି। ଏହା ସହିତ ଉତ୍ତରଖଣ୍ଡରେ ଥିବା ଅନ୍ୟ ଏକ ପ୍ରିଣ୍ଟିଂ ପ୍ରେସ୍‌ରେ ମଧ୍ୟ ଚଢ଼ାଉ କରାଯାଇଛି। ଫୋରେନ୍ସିକ୍‌ ଟିମ୍‌ ପକ୍ଷରୁ ଘଟଣାସ୍ଥଳର ଫଟୋ ଉଠାଯିବା ସହିତ ଭିଡ଼ିଓ ମଧ୍ୟ ଶୁଟିଂ କରାଯାଇଛି। ଏହା ତଦନ୍ତରେ ସହାୟକ ହେବ ବୋଲି କୁହାଯାଉଛି।

Share